ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନ ଉପରେ କ୍ଷୁବ୍ଧ ଗଜପତି ମହାରାଜ । ଦେଶ ଓ ବିଦେଶରେ ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଓ ରଥଯାତ୍ରା ନିର୍ଦ୍ଧାରିତ ତିଥିରେ କରିଥିବା ଅପିଲର ଉତ୍ତର ଦେଇଛନ୍ତି ମାୟାପୁର ସ୍ଥିତ ଇସ୍କନ ପରିଚାଳନା କମିଟିର ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ । ଗତ ଅକ୍ଟୋବର ୧୯ ତାରିଖରେ ପୁରୀ ଗଜପତିଙ୍କୁ ଏକ ଚିଠିରେ ଇସ୍କନ ପରିଚାଳନା କମିଟି ଅଧ୍ୟକ୍ଷ ସ୍ନାନଯାତ୍ରାକୁ ନିର୍ଦ୍ଧାରିତ ତିଥି ଅର୍ଥାତ ଜ୍ୟେଷ୍ଠ ପୂର୍ଣ୍ଣିମାରେ କରିବାକୁ ସହମତି ହୋଇଛି ।
କିନ୍ତୁ ବିଦେଶରେ ରଥଯାତ୍ରାକୁ ନିର୍ଦ୍ଧାରିତ ତିଥି ଅର୍ଥାତ ଆଷାଢ ଶୁକ୍ଳପକ୍ଷ ଦ୍ବିତୀୟ ତିଥି କିମ୍ବା ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରାର ନିର୍ଦ୍ଧାରିତ ନଅ ଦିନ ମଧ୍ୟରେ କରିବାକୁ ଗଜପତି କରିଥିବା ଅପିଲକୁ ଇସ୍କନ କର୍ତ୍ତୃପକ୍ଷ ପାଳନ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ଇସ୍କନ କର୍ତ୍ତୃପକ୍ଷଙ୍କ ଏହି ଚିଠିର ପ୍ରତି ଉତ୍ତର ଦେଇଛନ୍ତି ଗଜପତି ।ବିଦେଶରେ କେବଳ ସପ୍ତାହର ଶେଷ ଦିନରେ ରଥଯାତ୍ରା କରାଯାଇପାରିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି । କିନ୍ତୁ ଆଷାଢ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରୁ ଆରମ୍ଭ ହେଉଥିବା ନଅ ଦିନ ମଧ୍ୟରେ ପଡୁଥିବା ସପ୍ତାହନ୍ତରେ ବିଦେଶରେ ରଥଯାତ୍ରା କରିବାକୁ ଗଜପତି ମହାରାଜ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ନିର୍ଦ୍ଧାରିତ ନଅ ଦିନ ବାହାରେ ରଥଯାତ୍ରା କରାଯିବା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ ବୋଲି ଗଜପତି କହିଛନ୍ତି ।





