ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଧିକାରୀମାନେ ଠିକ୍ ଭାବେ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କ ନିକଟରେ ସେବା ପହଞ୍ଚାଇବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏପରି ବୟାନ ଦେଇ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂଜାରୀ । ତେବେ ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠାନ (ରୋଟି)ଠାରେ ଆୟୋଜିତ ଦୁଇଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜସ୍ୱ ଆଇନକୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ସରଳ କରିବା ଦରକାର। ଆଧୁନିକ ବୈଷୟିକ ଜ୍ଞାନର ଉପଯୋଗ କରି ରାଜସ୍ୱ ସେବାକୁ ଆହୁରି କ୍ରିୟାଶୀଳ କରାଯାଇପାରିବ। ରାଜସ୍ୱ ଅଧିକାରୀମାନେ ଜନସାଧାରଣଙ୍କ ଜମିଜମା ସମସ୍ୟାର ସମାଧାନର ବାଟ ଖୋଜିବାକୁ ପ୍ରୟାସ କରିବା ଦରକାର। ଏହାଦ୍ବାରା ଲୋକଙ୍କୁ ଠିକ୍ ସମୟରେ ସେବା ମିଳିପାରିବ।
ଏହାସହ ଶ୍ରୀ ପୂଜାରୀ କହିଛନ୍ତି, ସରକାରୀ ସମ୍ପତ୍ତିର ସୁରକ୍ଷା କରିବା ଓ ଜବରଦଖଲ ମୁକ୍ତ କରିବା ରାଜସ୍ୱ ଅଧିକାରୀଙ୍କ ମୁଖ୍ୟ ଦାୟିତ୍ବ ହୋଇଥିବା ବେଳେ ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ବ ଦେବା ଉଚିତ। ତହସିଲଦାରମାନେ ନିଜ ଅଞ୍ଚଳର ଜମିଜମା ସ୍ଥିତି ସମ୍ପର୍କରେ ଏକ ଡାଟାବେସ୍ ପ୍ରସ୍ତୁତ କରନ୍ତୁ। ଯଦିଓ ଆଜିର ଦିନରେ ରାଜସ୍ୱ ଅଧିକାରୀମାନଙ୍କ କାର୍ଯ୍ୟର ପରିସର ବୃଦ୍ଧି ପାଇଛି ତା’ ସତ୍ତ୍ବେ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେବା ଯୋଗାଇ ଦେବାକୁ ଚେଷ୍ଟା କରିବା ଦରକାର। ଫଳରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ।





