ଆନ୍ଧ୍ର ଯୋଜନାକୁ କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡ଼ିଲା ଓଡ଼ିଶା; ଜମି ପଟ୍ଟା ବାଣ୍ଟିଲେ ଆର୍‌ଡିସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଟିଆରେ ସୀମା ବିବାଦ ଲାଗି ରହିଥିବା ବେଳେ ଜମି ପଟ୍ଟା ବାଣ୍ଟିଲେ ଆର୍‌ଡିସି । ତେବେ ଆନ୍ଧ୍ର ଯୋଜନାକୁ ମାତ୍‌ ଦେବାକୁ ଓଡ଼ିଶା ପୂରା ଜୋର୍‌ ଲଗାଇ ଦେଇଛି। ଓଡ଼ିଶା ସରକାରଙ୍କ ଯୋଜନାରୁ ଯେମିତି କୋଟିଆ ପଞ୍ଚାୟତର ଜଣେ ବି ହିତାଧିକାରୀ ବାଦ୍‌ ପଡ଼ିବେ ନାହିଁ ‌ସେଥିପ୍ରତି ପ୍ରଶାସନ ଗୁରୁତ୍ବ ଦେଇଛି। କୋରାପୁଟ ଜିଲ୍ଲା ଗସ୍ତରେ ଥିବା ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ କେଶରୀ ମହାପାତ୍ର ଆଜି କୋଟିଆରେ ପହଞ୍ଚି ଓଡ଼ିଶା ସରକାରଙ୍କ ଯୋଜନା ବିତରଣ କରିଛନ୍ତି। କୋଟିଆ ପଞ୍ଚାୟତର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ପୂର୍ବରୁ କୋଟିଆ ପଞ୍ଚାୟତରେ ସର୍ଭେ କରି କିଛି ଦିନ ତଳେ ୫୦ଜଣ ହିତାଧିକାରୀଙ୍କୁ ଡିଜିଟାଲ୍‌ ରାସନ୍‌ କାର୍ଡ ବିତରଣ କରିଥିଲା ଆନ୍ଧ୍ର। ଏହି କାର୍ଡରେ ହିତାଧିକାରୀଙ୍କୁ ମାସିକ ୩୫ କିଲୋ ଚାଉଳ, ତେଲ, ସାବୁନ, ଡାଲି ଏବଂ ପ୍ରସୂତିଙ୍କୁ କ୍ଷୀର ମିଳୁଛି।

ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଓଡ଼ିଶା ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ଆନ୍ଧ୍ରର ଯୋଜନା କାର୍ଯ୍ୟକାରୀକୁ ନେଇ ବିଭିନ୍ନ ସଫେଇ ଦିଆଗଲା, କିନ୍ତୁ ଆନ୍ଧ୍ରର ଅନୁପ୍ରବେଶ ବନ୍ଦ ହୋଇନଥିବା ପରୋକ୍ଷରେ ସ୍ବୀକାର କରିଥିଲା ପ୍ରଶାସନ। ଅନ୍ୟପକ୍ଷରେ ଦୁଇ ରାଜ୍ୟର ଯୋଜନାରେ ବଡ଼ ଫରକ ରହିଛି। ଓଡ଼ିଶାଠାରୁ ଆନ୍ଧ୍ର ଯୋଜନାରେ ଅଧିକ ମିଳୁଛି। ଯାହାକୁ ଖୋଲାଖୋଲି କହୁଛନ୍ତି କୋଟିଆରେ ରହୁଥିବା ହିତାଧିକାରୀ। ତେବେ ଆନ୍ଧ୍ର ଯୋଜନାକୁ କଡ଼ା ଟକ୍କର ଦେବାକୁ ଓଡ଼ିଶା ଏବେ ଅଣ୍ଟା ଭିଡ଼ିଛି।

Related Posts