କୌଣସି ସ୍ଥାନରେ ମହାପ୍ରଭୁଙ୍କ ରୀତିନୀତି ଭଙ୍ଗ କରିବାକୁ ଦିଆଯିବନାହିଁ: ଆଇନ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଦିନିଆ ରଥଯାତ୍ରା ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଗଜପତି ଚିଠିରେ ରଥଯାତ୍ରା ପାଇଁ ରୀତିନୀତି କ’ଣ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି । କୌଣସି ସ୍ଥାନରେ ମହାପ୍ରଭୁଙ୍କ ରୀତିନୀତି ଭଙ୍ଗ କରିବାକୁ ଦିଆଯିବନାହିଁ । ଇସ୍କନ କ’ଣ ଉତ୍ତର ଦେଉଛନ୍ତି ଅପେକ୍ଷା କରିଛୁ । ନହେଲେ ଆଇନଗତ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି । ସେପଟେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରମ୍ପରାକୁ ଇସ୍କନ କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଛନ୍ତି । ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି ।

ଏ ନେଇ ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି । ଏହା ସତ୍ତ୍ବେ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି । ତେବେ ଇସ୍କନର ଏଭଳି ପଦକ୍ଷେପ ନେଇ ଗଜପତି ମହାରାଜା ପୁଣି ଚିଠି ଲେଖିଛନ୍ତି । ସେ ଇସ୍କନ ଗଭର୍ଣ୍ଣିଂ ବଡି କମିସନ (ଜିବିସି) ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି । ଏ ନେଇ ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

Related Posts