ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଛାତ୍ରୀମାନେ ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା । ଏନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ । ସେପଟେ ସୁଭଦ୍ରା ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।
ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ହଜାର ଟଙ୍କା କିମ୍ବା ତାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ, ସେକ୍ଷେତ୍ରରେ ସଂପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହେବେ । ଏନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି । ଛାତ୍ରୀମାନଙ୍କୁ ଯେଉଁ ବୃତ୍ତି ରାଶି ପ୍ରଦାନ କରାଯାଉଛି ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇ ପାରୁନାହିଁ । ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।





