ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର): ଦେଶରେ ହେବ ଜାତିଭିତ୍ତିକ ଜନଗଣନା । କେନ୍ଦ୍ର କ୍ୟାବିନେଟରେ ମିଳିଲା ମଞ୍ଜୁରୀ । ତେବେ ୟୁପି, ବିହାର ଭଳି ରାଜ୍ୟରେ ଜାତି ରାଜନୀତି କେନ୍ଦ୍ର ବିନ୍ଦୁ ପାଲଟିଛି । ଯେଉଁ ରାଜନେତାଙ୍କୁ ଜାତିଗତ ସମର୍ଥନ ମିଳିଛି ସେମାନେ ଦବଦବା ଜାହିର କରି ଆସୁଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଆଉ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍ ମାରିଛନ୍ତି ମୋଦୀ ।
କେନ୍ଦ୍ର କ୍ୟାବିନେଟ କମିଟି ବା ସିସିଏ ଜାତିଗତ ଜନଗଣନାକୁ ଅନୁମତି ଦେଇଛି। ନିଷ୍ପତି ଅନୁସାରେ ସାରାଦେଶରେ ଜାତିଭିତ୍ତିକ ଜନଗଣନା କରାଯିବ। ସେପଟେ କ୍ୟାବିନେଟ ବୈଠକ ପରେ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଅନ୍ୟପଟେ୨୦୨୬ରେ ହେବାକୁ ଥିବା ଜନଗଣନା ସହ ହେବ ଜାତିଗତ ଜନଗଣନା । ଲୋକଙ୍କ ସାମାଜିକ ଦୃଷ୍ଟିକୋଣକୁ ବିଚାରକୁ ନେଇ ଜାତିଗତ ଜନଗଣନା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ।
ଏଥିସହ ପୂର୍ବ କଂଗ୍ରେସ ସରକାର ଓ ତାର ସହଯୋଗୀ ଦଳକୁ ସମାଲୋଚନା କରିଛନ୍ତି ଅଶ୍ବିନୀ । ଜାତିକୁ ନେଇ କଂଗ୍ରେସ କେବଳ ରାଜନୀତି କରୁଛି ବୋଲି କହିଛନ୍ତି । ଆମ ରାଜ୍ୟ ଓଡ଼ିଶାରେ ଜାତିଭିତ୍ତିକ ରାଜନୀତିର ପ୍ରଭାବ ବେଶୀ ନଥିଲେ ବି ଗତ ନିର୍ବାଚନରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଥିଲା। ତେଣୁ ଜାତିଭିତ୍ତିକ ଜନଗଣନାକୁ ରାଜନୀତି ମହୋଲ କେମିତି ରହୁଚି ତାକୁ ଦେଖିବାର ବିଷୟ ।





