ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପ ନିର୍ବାଚନ ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଛନ୍ତି ପୁଲିସ ଡିଜି । ନିର୍ବାଚନ ଆଚରଣ ବିଧିର କଡାକଡି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର ନିର୍ବାଚନ ଆୟୋଗ (ECI) ର ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଫା ୧୧୦/୧୦୭ ସିଆରପିସି ଅନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା, ବେଆଇନ ଟଙ୍କା କାରବାରକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଓ ବେଆଇନ ମଦ ଜବତ କରିବା ଏବଂ ପଡ଼ି ରହିଥିବା ୱାରେଣ୍ଟରେ ଗିରଫ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଅତିରିକ୍ତ ଡିଜିପି ସଞ୍ଜୟ କୁମାର ମୋବାଇଲ୍ ପେଟ୍ରୋଲିଙ୍ଗ ଏବଂ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର କାର୍ଯ୍ୟକୁ ବଢ଼ାଇବା ଏବଂ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରବେଶ ପଥରେ ନାକା ପୋଷ୍ଟ ସ୍ଥାପନ କରି ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ଓ ଗଦି ମାନଙ୍କର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଥିଲେ ।
ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ କୋଚେ ଉପ-ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଡିଆଇଜିପି ଓ ଏସପିଙ୍କୁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବାକୁ ପରାମର୍ଶ ଦେଇଥିଲେ । ଉପନିର୍ବାଚନ ସମୟରେ ସମ୍ଭାବ୍ୟ ମାଓବାଦୀ କାର୍ଯ୍ୟକଳାପକୁ ଏଡାଇବାକୁ ଏଡିଜିପି ସଂଜୀବ ପଣ୍ଡା ଜିଲ୍ଲାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ କୁମ୍ବିଂ ଅପରେସନ ଓ ମାଓବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ତେବେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧୪ କମ୍ପାନୀ CAPF, ୫ପ୍ଲାଟୁନ୍ ରାଜ୍ୟ OSAP ଏବଂAPR ୩୫ ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି, ୧୮ ଟି ଫ୍ଲାଇଙ୍ଗ୍ ସ୍କ୍ୱାଡ୍, ୧୮ ଟି SST ସହିତ ଜିଲ୍ଲା ପୋଲିସ୍ ଅଧିକାରୀ/ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ସବୁ ଉପରେ ଏମାନଙ୍କ ନଜର ରହିବ ।





