ନୂଆପଡ଼ା ଉପନିର୍ବାଚନ; ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନୂଆପଡ଼ା ବିଧାନସଭା ନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଛି । ଏହା ମଧ୍ୟରେ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍‌ ଗୋପାଳନ ସୂଚନା ଦେଇଛନ୍ତି। ତେବେ ୩୬ ନମ୍ବର ବୁଥରେ କାର୍ଯ୍ୟରତ ଧନଞ୍ଜୟ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ଭୋଟରଙ୍କୁ ସହାୟତା ନାଁରେ ନିଜେ ଭୋଟ ଦେଇଥିଲେ ପ୍ରିଜାଇଡିଂ ଅଫିସର। ସିସିଟିଭି ଫୁଟେଜ୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି।

ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି।

Related Posts