ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନକୁ ନେଇ ସାରା ରାଜ୍ୟର ରାଜନୀତିକ ମାହଲ ଚଳଚଞ୍ଚଳ ହୋଇଉଠିଛି । ଏହା ମଧ୍ୟରେ ନବୀନ ପଟ୍ଟନାୟକଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ନିଜ ଏକ୍ସ ହ୍ୟାଣ୍ଡେଲରେ ବିଜେଡ଼ି ସୁପ୍ରିମୋକୁ କହିଛନ୍ତି ବିଶ୍ୱାସଘାତକତା କଣ ଏବେ ବୋଧେ ଛାମୁଙ୍କୁ ଲାଗିଲା । ନୂଆପଡା ବାସୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ବିଶ୍ୱାସ ଘାତର ଜବାବ ଦେବାପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି । ଯିଏ ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାତ କରିଛି ତାର ଜବାବ ନିର୍ବାଚନ ରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ ବୋଲି କହିଛନ୍ତି । ସେପଟେ ନିର୍ବାଚନ ପ୍ରଚାର ପାଇଁ ବିଜେଡି ସୁପ୍ରିମୋ ନୂଆପଡ଼ା ଯାଇଥିଲେ । ସେଠାରେ ସେ କହିଥିଲେ ଆପଣଙ୍କ ସହ, ବିଜେଡି ସହ ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ ।ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ଏଇ ୧୬ ମାସରେ ବିଜେପି ସରକାର କେବଳ ମିଛ ପ୍ରଚାରରେ ହିରୋ, କାମରେ କିନ୍ତୁ ଜିରୋ । ଆପଣ କୁହନ୍ତୁ, ଆପଣଙ୍କୁ ତିନି ଶହ ୟୁନିଟ୍ ମାଗଣା ବିଜୁଳି ମିଳିଛି କି?
ସବୁ ବୁଢ଼ା ବୁଢ଼ୀଙ୍କୁ ୩ ହଜାର ୫ ଶହ ଟଙ୍କା ପେନସନ୍ ମିଳିଛି କି? ଚାଷୀ ଭାଇଙ୍କୁ ୟୁରିଆ ସାର ମିଳିଛି କି?”ନୂଆପଡ଼ାର ପ୍ରଚାର ମୈଦାନରୁ କିଛି ଏଭଳି କଥା କହିବା ସହ ବର୍ତ୍ତମାନର ବିଜେପି ସରକାରକୁ ତୀର ମାରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସିଧା ସିଧା ବିଜେପିକୁ ପ୍ରାର୍ଥୀ ଚୋର ବୋଲି କହିବା ସହ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଚୋରି କରିଛି ବୋଲି କହିଥିଲେ ନବୀନ ପଟ୍ଟନାୟକ ।





