ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହେବାର ୨୦ବର୍ଷ ପରେ ବି ହେଡକ୍ୱାଟର ଚାଲିଛି ଭୁବନେଶ୍ୱରରେ, ରାଜଧାନୀରୁ ମୁଖ୍ୟାଳୟ ହଟାଇବା ପାଇଁ ହାଇକୋର୍ଟରେ ଦାଏର ହେଲା ଜନସ୍ୱାର୍ଥ ମାମଲା

high court

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମ ଓଡିଶାର ବିକାଶ ପରିଷଦର ମୁଖ୍ୟାଳୟ ବିକାଶ ପରିଷଦ ଅଧୀନରେ ଥିବା ୧୦ ଟି ଜିଲ୍ଲାରେ କୌଣସି ଅଞ୍ଚଳରେ କୌଣସି ସ୍ଥାନରେ ନ ଚାଲି ଭୁବନେଶ୍ୱରରୁ କାର୍ଯ୍ୟ କରୁଛି । ୨୦୦୦ ମସିହାରୁ ଯେବେଠାରୁ ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ ମୋଟ ୧୦ ଟି ଜିଲ୍ଲାକୁ ନେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଛି । ସେବେଠାରୁ ବିଗତ ୨୦ବର୍ଷ ହେଲା ଏହାର ମୁଖ୍ୟାଳୟ ଭୁବନେଶ୍ୱରରେ କାର୍ଯ୍ୟ କରୁଛି । ପଶ୍ଚିମ ଓଡିଶାର ବିକାଶ ପରିଷଦ ଧାରା ୩(୪)ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ପରିଷଦର ହେଡକ୍ୱାଟର କେବଳ ଏହାର ସଦସ୍ୟ ଜିଲ୍ଲାମାନଙ୍କର ଯେକøଣସି ଏକ ସା୍ଥନରେ ହିଁ ଖୋଲାଯିବ । ବିକାଶ ପରିଷଦର ପଞ୍ଚ ମୁଖ୍ୟାଳୟର କାର୍ଯ୍ୟକରିବ ନାହିଁ ବୋଲି ଆଇନରେ ସ୍ପଷ୍ଟ ଭାବରେ ଲେଖାଯାଇଛି । ଏହା ସତ୍ତ୍ୱେ ୨୦ ବର୍ଷ ହେଲା ସରକାର ଭୁବନେଶ୍ୱରରୁ ହିଁ ହେଡକ୍ୱାଟର ଚଲାଇଛନ୍ତି । ଯାହାକି WODC ACT କୁ ଖୋଲାଖୋଲି ଭାବରେ ଉଲ୍ଲଘଂନ କରୁଛି । ଏହାକୁ ବିରୋଧ କରି ଏବଂ ପରିଷଦର ହେଡକ୍ୱାଟର ଭୁବନେଶ୍ୱରରୁ ସ୍ଥାନାନ୍ତର କରି ପଶ୍ଚିମ ଓଡିଶାରେ ଖୋଲିବା ଦାବି ନେଇ ମାନ୍ୟବର ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି ।

ଜନସ୍ୱାର୍ଥ ମାମଲା କାହିଁକି ?
ପଶ୍ଚିମ ଓଡିଶାରେ ବିକାଶ ପାଇଁ ୧୦ ଟି ଜିଲ୍ଲାକୁ ନେଇ ୧୯୯୮ ମସିହାରେ ତତକାଳୀନ କଂଗ୍ରେସ ସରକାର ପ୍ରଥମଥର ପାଇଁ ଏକ ସ୍ୱତନ୍ତ୍ର ପଶ୍ଚିମ ଓଡିଶା ବିକାଶ ପରିଷଦ ଆଇନ ଆଣିଲେ । ଏହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେବା ପୂର୍ବରୁ କଂଗ୍ରେସ ସରକାର କ୍ଷମତାରୁ ଗଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ସରକାର କ୍ଷମତାକୁ ଆସିବା ପରେ ମୂଳ ଆଇନର ସଂଶୋଧନ କଲେ । ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହେବା ସହ କାର୍ଯ୍ୟକ୍ଷମ ହେଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ନାଁ କୁ କେବଳ ବିକାଶ ପରିଷଦ ଗଠନ ହେଲା, ହେଟକ୍ୱାଟର ଭୁବନେଶ୍ୱରରୁ ଚାଲିଲା ଏବଂ ସରକାରଙ୍କ ମନମାନୀରେ ପରିଷଦର ସଦସ୍ୟ ଚୟନ ଅଧ୍ୟକ୍ଷ ନିଯୁକ୍ତି ଆଦି ମେରୀରାୟ ନୀତିରେ ଚାଲିଲା । ଏପରିକି ଆଇନକୁ ମଧ୍ୟ କ୍ରମାଗତ ଭାବରେ ଅଣଦେଖା କରାଗଲା । ଆଇନରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ହେଡକ୍ୱାଟର ପରିଷଦ ଅଧିନରେ ଥିବା ୧୦ଟି ଜିଲ୍ଲା ଭିତରେ ହିଁ କୌଣସି ଏକ ସ୍ଥାନରେ ପ୍ରତିଷ୍ଠା କରାଯିବ । ମାତ୍ର ୨୦ ବର୍ଷ ହେଲା କାହିଁକି ଭୁବନେଶ୍ୱରରୁ ସରକାର ମୁଖ୍ୟାଳୟ ହଟାଉ ନାହାଁନ୍ତି । ଏନେଇ ପ୍ରଶ୍ନ କରିଛନ୍ତି ଆବେଦନକାରୀ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହିମାଂଶୁ ଶେଖର ମିଶ୍ର ।

ଏହି ୟାଚିକାରେ ଉଲ୍ଲେଖ କରାଯାଇଛି ଯେ ଆବେଦନକାରୀ ମୁଖ୍ୟାଳୟ ହଟାଇବା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଗତ ୧୫ ଜୁନ ୨୦୨୧ରେ ଚିଠି ଲେଖିଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ ଉଚିତ ପଦକ୍ଷେପ ନିଆଗଲା ନାହିଁ । ଆବେଦନକାରୀ ଦର୍ଶାଇଛନ୍ତି ଯେ ଓଡିଶାରେ ପଶ୍ଚିମ ଓଡିଶା ଅଞ୍ଚଳ ଅତ୍ୟନ୍ତ ପଛୁଆ ଏବଂ ଦରିଦ୍ର ଅଞ୍ଚଳ ଭାବରେ ପରିଗଣିତ । ଜଳସେଚନର ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଖରାପ । ପ୍ରାୟ ୭୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଶିକ୍ଷା ସ୍ୱାସ୍ଥ୍ୟ ନିଯୁକ୍ତି ଏବଂ ରୋଜଗାର ଆଦି କ୍ଷେତ୍ରରେ ବହୁଳ ଭାବରେ ବଞ୍ଚିତ । ଏପରିକି ୨୦ ବର୍ଷ ହେଲା ବିକାଶ ପରିଷଦ କାର୍ଯ୍ୟକରୁଥିଲେ ମଧ୍ୟ ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ବିକାଶ ଓ ଅନ୍ୟାନ୍ୟ ସୁବିଧା ଲକ୍ଷ ଅନୁଯାୟୀ ପହଞ୍ଚିପାରି ନାହିଁ । ବାରମ୍ବାର ଦାବି ଧାରଣା ଓ ପ୍ରତିବାଦ ସତ୍ତ୍ୱେ ସରକାର ଭୁବନେଶ୍ୱରରୁ ମୁଖ୍ୟାଳୟ ସ୍ଥାନାନ୍ତର କରିବାର ନାଁ ଧରୁ ନାହାଁନ୍ତି । ପଶ୍ଚିମ ଓଡିଶା ଅଞ୍ଚଳରେ ହେଟକ୍ୱାଟର ପ୍ରତିଷ୍ଠା ହେଲେ ଏହା ସ୍ଥାନୀୟ ବ୍ୟକ୍ତି ଓ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ସକରାତ୍କମକ ପ୍ରଭାବ ପକାଇବ । ଯାହା ଦ୍ୱାରା ବିକାଶ ପାଇଁ ଉଦ୍ଦିଷ୍ଟ ଉନ୍ନାୟନ ମୂଳକ କାର୍ଯ୍ୟକ୍ରମ ସଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।


ସଦସ୍ୟ ନିଯୁକ୍ତିରେ ବି ଖିଲାଫ କରୁଛନ୍ତି ସରକାର

ବିକାଶ ପରିଷଦ ଆଇନ 4(a)(e) କହୁଛି ଯେ ପରିଷଦର ସଦସ୍ୟଙ୍କ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳରୁ ନିର୍ବାଚିତ ଦୁଇ ଜଣ ଲୋକସଭା ସାଂସଦ ଏବଂ ୧୧ ଜଣ ବିଧାୟକଙ୍କୁ ସରକାର ମନୋନୀତ କରିବେ । ମାତ୍ର ରାଜ୍ୟ ସରକାର ଆଇନ ଅନୁଯାୟୀ ସଦସ୍ୟ ମନୋନୟନ ନକରି ମନଇଚ୍ଛା କାର୍ଯ୍ୟ କରୁଛନ୍ତି ବୋଲି ୟାଚିକାରେ ଅଭିଯୋଗ କରାଯାଇଛି । ଏପରିକି ବିଗତ ୬ ବର୍ଷ ହେଲା ଲୋକସଭାର ସାଂସଦ ଏବଂ ନୂଆ ବିଧାୟକଙ୍କୁ ପରିଷଦର ସଦସ୍ୟ ଭାବରେ ସରକାର ନିଯୁକ୍ତି କରିନାହାଁନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଅଭିଯୋଗ ପତ୍ର ଲେଖାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଅଭିଯୋଗ କରାଯାଇଛି । ଏହା ଦ୍ୱାରା ସାଧାରଣ ଜନତାଙ୍କ ଆଇନ ଓ ସମ୍ବିଧାନରେ ଯେଉଁ ସୁରକ୍ଷା ପ୍ରଦାନ କରାଯାଇଛି ତାକୁ ସରକାର ସ୍ପଷ୍ଟ ଦିବାଲକରେ ଭଙ୍ଗ କରିଛନ୍ତି ବୋଲି ଜନସ୍ୱାର୍ଥ ମାମଲାରେ ଅଭିଯୋଗ କରାଯାଇଛି ।

Related Posts