ପ୍ରଥମେ ଲୁଟ ପରେ ଶେଷରେ ଦୁର୍ବୁତଙ୍କ ଆକ୍ରମଣରେ ଆଖି ବୁଜିଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୋଟା ଗାଁ ର ଜିତେନ୍ଦ୍ର ଦଳେଇ | ଜିତେନ୍ଦ୍ର ନିଜ ଶ୍ୱଶୁର ଘର ଛତ୍ରପୁରକୁ ଯାଇଥିବା ବେଳେ ସେଠାରୁ ସନ୍ଧ୍ୟାରେ ନିଜ ଘରକୁ ବାଇକ୍ ଯୋଗେ ଫେରୁଥିବା ସମୟରେ ଘଟିଛି ଏହି ଅଘଟଣ | ପ୍ରଥମେ ବଡ ଘାଟି ନିକଟରେ ୫ଜଣ ଦୁର୍ବୁତ୍ତ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ଏଥିସହ ତାଙ୍କ ନିକଟରେ ଥିବା ୧୭ ହଜାର ଟଙ୍କା ନେଇ ଯାଇଥିଲେ। ପରେ ଜିତେନ୍ଦ୍ର କିଛି ଦୁର୍ବୁତାଙ୍କୁ ଚିହ୍ନି ପାରିଥିଲେ | ଏନେଇ ସେମାନେ ଜାଣିବା ପରେ ତାଙ୍କୁ ହତ୍ୟା କରିଛନ୍ତି |
ସୂଚନାଯୋଗ୍ୟ, ଜିତେନ୍ଦ୍ର ୨ ଜଣଙ୍କୁ ଚିହ୍ନି ଦେବାରୁ ସେମାନେ ତାଙ୍କୁ ମାରିବା ପାଇଁ ତାଙ୍କ ପିଛା କରିଥିଲେ | ଏନେଇ ଜିତେନ୍ଦ୍ର ଜୀବନ ବଂଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ସହ ଦୀର୍ଘ ସମୟର ଲୁଚକାଳି ଖେଳ ତଥା ମେସେଜ ଜରିଆରେ ସାଙ୍ଗମାନଙ୍କୁ ଆକୁଳ ନିବେଦନ କରିଥିଲେ | ଗ୍ରୁପରେ ସାଙ୍ଗମାନଙ୍କ ପାଖକୁ ମେସେଜ ବି ଛାଡ଼ିଲେ। ଏପରିକି ଦୁର୍ବୃତ୍ତମାନେ ହତ୍ୟା କରିବାକୁ ଖୋଜୁଥିବାରୁ ପୁଲିସ୍କୁ ଖବର ଦେଇ ତୁରନ୍ତ ଉଦ୍ଧାର କରିବାକୁ କାକୁତିମିନତି ହୋଇଥିଲେ। ହେଲେ ଦୀର୍ଘ ସମୟର ଛକାପଞ୍ଝା ପରେ ଦୁର୍ବୃତ୍ତମାନେ ତାଙ୍କୁ ଖୋଜି ହତ୍ୟା କରିଥିବା ଜଣାଯାଇଛି।
ପରିବାର ଲୋକ ଖୋଜାଖୋଜି କରିବା ପରେ ମୃତ ଅବସ୍ଥାରେ ଜିତେନ୍ଦ୍ରଙ୍କୁ ପାଇଥିଲେ। ତାଙ୍କ ମୃତଦେହ ଖଲ୍ଲିକୋଟ ଷ୍ଟେସନ ନିକଟ ଟ୍ରେନ ଲାଇନ ସାଇଡରେ ଫିଙ୍ଗା ହୋଇଥିବା ଦେଖିବାକୁ ପାଇ ପରିବାର ଲୋକ ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି |





