ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାତ୍ୟା ମୋନ୍ଥା ନ ଆସୁନୁ ହୁ ହୁ ହୋଇ ବଢିଗଲା ଆଳୁ-ପିଆଜ ଦର । ଏମିତିକି ରାଜଧାନୀରେ ମାର୍କେଟରୁ ଗାୟବ ହୋଇଯାଇଛି ପ୍ରିୟ ପରିବା । ଶନିବାର ସକାଳୁ ନେଇ ଏପର୍ଯ୍ୟନ୍ତ ରବିବାର କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନି । ଫଳରେ ବଜାରକୁ ଆଳୁ କେମିତି ଯୋଗାଣ କରାଯିବ ତାକୁ ନେଇ ଚିନ୍ତା ଘାରିଛି । ସେପଟେ ବାତ୍ୟା ଭୟ ଘାରୁଥିବା ବେଳେ ଅନ୍ୟପଟେ ଆଳୁର ଅଭାବ ଗ୍ରାହକଙ୍କୁ ବୋଝ ହେବ ।
କେବଳ ସେତିକି ନୁହେଁ, ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦ ଟଙ୍କାରେ ବିକ୍ରି ହୋଇଛି । ଦିନକପୂର୍ବରୁ ଯେଉଁ ଆଳୁ ୨୦ ଓ ପିଆଜ ୨୫ଟଙ୍କାରେ ମିଳୁଥିଲା ତାହା ହଠାତ୍ ୫ଟଙ୍କା ଲେଖାଏଁ ବଢ଼ିଯିବା ତାଜୁବ କରିଛି । ବାତ୍ୟା ଆଳରେ କଳାବଜାରୀ ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ତଥାପି ରାଜସ୍ୱମନ୍ତ୍ରୀ ବାତ୍ୟା ବେଳେ କଳାବଜାରୀ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କେତେ ଦୂର ଏହା କାର୍ଯ୍ୟକାରୀ ହେବ ତାକୁ ଦେଖିବାକୁ ବାକି ରହିଲା ।





