ଭାରତର ସମର୍ଥନରେ ଆମେରିକା, ଚାଇନାକୁ ନିନ୍ଦା କରିବା ସହ ଦେଲା କଡ଼ା ଜବାବ

ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କ ମଜଭୁତ ହେବାରେ ଲାଗିଛି | ଭାରତ ବିରୋଧରେ ଚାଇନା ଆପଣାଉଥିବା ଆକ୍ରମଣାତ୍ମକ ଆଭିମୁଖ୍ୟ ବିରୋଧରେ କଡା ଜବାବ ଦେଇଛି ଆମେରିକା | ଭାରତ ସହ ଆମେରିକା ସବୁବେଳେ ରହିଛି ବୋଲି ଆମେରିକାର ସାଂସଦମାନେ କହିଛନ୍ତି। ଏଥିସହ ଶୀତକାଳୀନ ଅଲିମ୍ପିକ୍ସର ଟର୍ଚ୍ଚ ମସାଲ ଚାଇନା ସରକାର ପିଏଲଏର ଜଣେ କମାଣ୍ଡରଙ୍କୁ ଧରାଇବା ଘଟଣାକୁ ମଧ୍ୟ ସେମାନେ ନିନ୍ଦା କରିଛନ୍ତି।

ଏହି ଘଟଣାକୁ ବିରୋଧ କରି ଭାରତ ୱିଣ୍ଟର ଅଲିକମ୍ପିକ୍ସର କାର୍ଯ୍ୟକ୍ରମକୁ ବୟକଟ କରିଥିଲା। ଏହାକୁ ବି ଆମେରିକା ବିଦେଶ ବ୍ୟାପାର କମିଟିର ସାଂସଦମାନେ ସମର୍ଥନ କରିଛନ୍ତି।

ଆମେରିକାର ପର ରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, “ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ କଥା ଯେତେବେଳେ ବି ଆସିବ ଆମେ ସବୁବେଳେ ସିଧାସଳଖ ଆଲୋଚନା ଓ ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ମତ ରଖିବୁ। ପୂର୍ବରୁ ମଧ୍ୟ ଆମେ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛୁ। ଚାଇନା ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତି ଯେଉଁ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛି, ସେ ବିଷୟରେ ଆମେ ପୂର୍ବ ମଧ୍ୟ ସ୍ୱର ଉଠାଇଥଲୁ।

ଆମେରିକା ସବୁବେଳେ ଏହାକୁ ଗୁରୁତ୍ୱର ସହ ବିଚାର କରେ। ଆମେ ସବୁବେଳେ ଆମ ବନ୍ଧୁମାନଙ୍କ ସହ ରହିଛୁ। ଇଣ୍ଡୋ-ପ୍ୟାସିଫିକରେ ଆମେ ସବୁବେଳେ ଆମର ସହଯୋଗୀ ଓ ପାର୍ଟନମାନଙ୍କ ସହ ସମୃଦ୍ଧି, ସୁରକ୍ଷା ଏବଂ ମୂଲ୍ୟବୋଧକୁ ସୁଦୃଢ଼ କରିଥାଉ। ଆମେ ଆମ ସହଯୋଗୀଙ୍କ ସହ ସବୁ ପରିସ୍ଥିତିରେ ରହିଛୁ।”

ଅନ୍ୟପକ୍ଷରେ ପିପୁଲ୍ସ ଲିବେରେସନ ଆର୍ମି ବା ପିଏଲଏର ରେଜିମେଣ୍ଟ କମାଣ୍ଡର କି ଫାବାଓ ୱିଣ୍ଟର ଅଲିମ୍ପିକ୍ସର ଟର୍ଚ୍ଚ ମସାଲ ଧରିବା ଘଟଣାକୁ ଆମେରିକାର ସାଂସଦମାନେ ତୀବ୍ର ନାପସନ୍ଦ କରିଛନ୍ତି। ସାଂସଦ ମାରକୋ ରୁବିଓ କହିଛନ୍ତି, “ବେଜିଂ ୱିଣ୍ଟର ଅଲିମ୍ପିକ୍ସକୁ ରାଜନୀତିକ ରୂପ ଦେବାକୁ ଚାଇନା ନେଉଥିବା ପଦକ୍ଷେପର ଏହା ଆଉ ଏକ ଜ୍ୱଳନ୍ତ ଉଦାହରଣ। ୨୦୨୦ରେ ଭାରତୀୟ ସେନା ବିରୋଧରେ ହୋଇଥିବା ଆମ୍ବୁସରେ ସାମିଲ ଥିବା ଜଣେ ସୈନ୍ୟଙ୍କୁ ଟର୍ଚ୍ଚ ମସାଲ ଧରାଇ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛି।” ଫ୍ଲରିଡାର ଏହି ସାଂସଦ ଜଣଙ୍କ ଭାରତ ସହ ରହିଥିବା କହିଛନ୍ତି।

ଆମେରିକା ସଂସଦର ବୈଦେଶିକ ସମ୍ପର୍କ କମିଟିରେ ଥିବା ସାଂସଦ ଜିମ ରିସଚ ଆମେରିକା ସବୁବେଳେ ଭାରତର ସାର୍ବଭୌମତକୁ ସମର୍ଥନ କରିବ ବୋଲି କହିଛନ୍ତି। ସେ କହିଛନ୍ତି, “ଭାରତ ଉପରେ ୨୦୨୦ରେ ହମଲା କରିଥିବା ଜଣେ ଚାଇନିଜ ସୈନ୍ୟଙ୍କୁ ଟର୍ଚ୍ଚ ମସାଲ ଧରାଇବା ଲଜ୍ଜାଜନକ ପଦକ୍ଷେପ।

ସଂସଦର ବାଚସ୍ପତି ନାନ୍ସି ପେଲୋସି ମଧ୍ୟ ଚାଇନାର ଏପରି ପଦକ୍ଷେପକୁ ନିନ୍ଦା କରିଛନ୍ତି। ଚାଇନାରେ ଚାଲିଥିବା ମାନବାଧିକାର ଉଲ୍ଲଙ୍ଘନ ଘଟଣାକୁ ଲୁଚାଇବା ପାଇଁ ଚାଇନା ଜାଣିଶୁଣି ଏପରି ଭେଳିକି କରୁଛି ବୋଲି ସେ କହିଛନ୍ତି। ଚାଇନା ସରକାର ସେଠାରେ ଲୋକଙ୍କ ମାନବ ଅଧିକାର ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ଆମେରିକା ସମେତ ବିଭିନ୍ନ ପାଶ୍ଚାତ୍ୟ ଦେଶ ବେଜିଂ ଅଲିମ୍ପିକ୍ସକୁ କୂଟନୈତିକସ୍ତରୀରେ ପୂର୍ବରୁ ବହିଷ୍କାର କରି ସାରିଥିଲେ।

Related Posts