ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଏବରେଲି ଭିଡ଼ହିଂସା ପୀଡ଼ିତ ପରିବାରକୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ତେବେ ରାଏବରେଲି ଭିଡ଼ହିଂସା ପୀଡ଼ିତ ହରିଓମ ବାଲ୍ମିକୀଙ୍କ ପରିବାର ସଦସ୍ୟଙ୍କୁ ଉତ୍ତରପ୍ରଦେଶର ଫତେପୁର ଜିଲ୍ଲା ସ୍ଥିତ ସେମାନଙ୍କ ଘରେ ଭେଟିଛନ୍ତି। ରାହୁଲ କହିଛନ୍ତି, ଗତ କିଛି ଦିନ ତଳେ ଜଣେ ଦଳିତ ଅଫିସର୍ ଆତ୍ମହତ୍ୟା କରିଥିଲେ। ମୁଁ ସେଠାକୁ ଯାଇଥିଲି ଏବଂ ଆଜି ମୁଁ ଏଠାକୁ ଆସିଛି। ଏହି ପରିବାର ଅପରାଧ କରିନାହିଁ।
କିନ୍ତୁ ସେମାନଙ୍କୁ ଅପରାଧୀ ଭଳି ବ୍ୟବହାର ଦେଖାଯାଉଛି ଏବଂ ସେମାନଙ୍କୁ ଘରେ ବନ୍ଦୀ ରଖାଯାଇଛି ବୋଲି ରାହୁଲ ଦାବି କରିଛନ୍ତି। ତେବେ ରାହୁଲ ଭିଡ଼ହିଂସା ପୀଡ଼ିତ ପରିବାର ନିକଟରେ ପହଞ୍ଚିବା ପୂର୍ବରୁ ଏକ ଭିଡିଓକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ଏହି ଭିଡିଓରେ ହରିଓମ୍ଙ୍କ ଭାଇ କହୁଛନ୍ତି, ମୁଁ ଶିବମ ବାଲ୍ମିକୀ। ହରିଓମ୍ ବାଲ୍ମିକୀଙ୍କ ସାନ ଭାଇ ଯାହାଙ୍କୁ ରାଏବରେଲିରେ ପିଟିପିଟି ହତ୍ୟା କରାଯାଇଥିଲା। ମନ୍ତ୍ରୀମାନେ ଆମକୁ ଭେଟିଛନ୍ତି ଏବଂ ଆମକୁ ଆର୍ଥିକ ସହାୟତା ଓ ଚାକିରି ଦେଇଛନ୍ତି। ସରକାରଙ୍କ ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ମୁଁ ସନ୍ତୁଷ୍ଟ।
ମୋ ଭାଇର ହତ୍ୟାକାରୀମାନଙ୍କୁ ଜେଲ୍ରେ ଭର୍ତ୍ତି କରାଯାଇଛି। ତେଣୁ ଆମେ ରାହୁଲ ଗାନ୍ଧୀ ଏବଂ ଅତ୍ୟ ନେତାମାନଙ୍କୁ ଅନୁରୋଧ କରୁଛୁ ଯେ ଏଠାକୁ ଆସି ରାଜନୀତି କରନ୍ତୁନାହିଁ। ଶିବମ୍ ଏହି ଭିଡିଓରେ କହିବା ସମୟରେ ତାଙ୍କ ପାଖରେ ତାଙ୍କ ବାପା ଏବଂ ଭଉଣୀ ଠିଆ ହୋଇଥିଲେ। ତେବେ ସରକାରଙ୍କ ଚାପରେ ଏହି ଭିଡିଓ ଜାରି କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।





