ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ୩୩ ପ୍ରକଳ୍ପରେ ନିବେଶ ହେବ ୧.୪୬ ଲକ୍ଷ କୋଟି ଟଙ୍କା। ୫୦୦ ଦିନ କାର୍ଯ୍ୟକାଳ ପୂରଣ ଅବସରରେ ମିଳିଲା ମଞ୍ଜୁରୀ ।୪୯,୭୪୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ । ଏଥିରେ ୧.୪୬ ଲକ୍ଷ କୋଟି ଟଙ୍କା ନିବେଶ ହେବା ସହିତ ୬୬ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିକଶିତ ଓଡ଼ିଶା ୨୦୩୬ ହାସଲ ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହି ମାଇଲଖୁଣ୍ଟ ହାସଲ ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଗତ ୫୦୦ ଦିନ ଏକ ନିର୍ଭରଯୋଗ୍ୟ, ପ୍ରଗତିଶୀଳ ଏବଂ ନିବେଶ ଅନୁକୂଳ ଓଡ଼ିଶାକୁ ପ୍ରତିଫଳିତ କରୁଛି।
ଦେଶବିଦେଶର ନିବେଶକମାନେ ଓଡ଼ିଶା ଉପରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ସେଥିରୁ ଆମ ନୀତିର ସୁଦୃଢ଼ତା ସହିତ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଓଡ଼ିଶା ପାଇଁ ଲକ୍ଷ୍ୟ ପ୍ରତିଫଳିତ ହେଉଛି। ଆଜି ଦୁଇଟି ଯାକ କମିଟିରେ ମଞ୍ଜୁରି ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଆଇଟି ଓ ଇଏସ୍ଡିଏମ୍, ଏରୋସ୍ପେସ୍ ଓ ପ୍ରତିରକ୍ଷା, ବୟନ ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ସବୁଜ ଶକ୍ତି ଉପକରଣ, ଆଇଟି ଓ ଆଇଟିଇଏସ୍, ଡାଟା ସେଣ୍ଟର, ସ୍ବତନ୍ତ୍ର ଇସ୍ପାତ, ଆଲୁମିନିୟମ, ଶକ୍ତି ଓ ଅକ୍ଷୟ ଶକ୍ତି, ଗ୍ରିନ୍ ହାଇଡ୍ରୋଜେନ୍ ଓ ଆମୋନିଆ, ରସାୟନ, ସେମିକଣ୍ଡକ୍ଟର ଏବଂ ରେୟାର ଆର୍ଥ ମ୍ୟାଟେରିଆଲ୍ସ କ୍ଷେତ୍ରରେ ଅନ୍ତର୍ଭୁକ୍ତ।
ଏହି ନିବେଶଗୁଡ଼ିକ ରାଜ୍ୟର ୧୪ଟି ପ୍ରମୁଖ ଜିଲ୍ଲାରେ ପରିବ୍ୟାପ୍ତ। ସେହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୨ତମ ଉଚ୍ଚସ୍ତରୀୟ ମଞ୍ଜୁରି କମିଟି ବୈଠକରେ ୧,୪୧,୯୯୩.୫୪ କୋଟି ଟଙ୍କା ମୂଲ୍ୟର ୧୨ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ନିବେଶ ଫଳରେ ୪୯,୭୪୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସୂଚନା ମିଳିଛି ।





