ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ଚାଲିଛି କୁଳପତି ଚୟନ ପ୍ରକ୍ରିୟା । ଉତ୍କଳ ଓ ରେଭେନ୍ସାର ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ। ତେବେ ୩୬୨ଜଣ ପ୍ରଫେସର ବିଭିନ୍ନ ବିଶ୍ବବିଦ୍ୟାଳୟ କୁଳପତି ପଦବି ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଯୋଗ୍ୟତା ମାନଦଣ୍ଡ ପୂରଣ କରିପାରି ନ ଥିବା ଶତାଧିକ ପ୍ରଫେସର ଦୌଡ଼ରୁ ବାଦ୍ ପଡ଼ିଛନ୍ତି। କାହାର ପ୍ରଫେସର ଭାବେ ୧୦ ବର୍ଷ କାମ କରିବାର ଅଭିଜ୍ଞତା ନାହିଁ ତ ଆଉ କାହାର ଗବେଷଣା ଘର ଶୂନ। ବୟସ ଗଡ଼ିଯାଇଥିଲେ ମଧ୍ୟ କିଛି ଜଣ ଆବେଦନ କରି ଚୟନ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡ଼ିଛନ୍ତି। ଦୁଇ ଜଣ ଆସୋସିଏଟ୍ ପ୍ରଫେସର ଆବେଦନ କରି ଚୟନ ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି। ସେପଟେ ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପଦବି ପାଇଁ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ସହ ସାକ୍ଷାତକାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପଦବି ପାଇଁ ସର୍ବାଧିକ ୨୮୪ ଜଣ ପ୍ରଫେସର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୫ଜଣଙ୍କୁ ସାକ୍ଷାତକାର ପାଇଁ ୩ଜଣିଆ ଚୟନ କମିଟି ଡାକିଛନ୍ତି। ନଭେମ୍ବର ୨୭ ଓ ୨୮ ତାରିଖରେ ରାଜ୍ୟର ଏହି ସର୍ବପୁରାତନ ବିଶ୍ବବିଦ୍ୟାଳୟ ପାଇଁ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରମାନଙ୍କ ସାକ୍ଷାତକାର ନିଆଯିବ। ୨୫ ଜଣିଆ ସଂକ୍ଷିପ୍ତ ତାଲିକାରେ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ୫ଜଣ ପ୍ରଫେସର ରହିଥିବା ବେଳେ ଏଠାରୁ ଅବସର ଗ୍ରହଣ କରିଥିବା କିଛି ପ୍ରଫେସର ରହିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିମାନେ ମଧ୍ୟ ତାଲିକାରେ ସ୍ଥାନ ପାଇଛନ୍ତି।
ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ହେବାକୁ ୨୨୩ଜଣ ପ୍ରଫେସର ଆଗ୍ରହ ପ୍ରକାଶ କରିଥିଲେ। ଆବେଦନପତ୍ରଗୁଡ଼ିକୁ ଚୟନ କମିଟିର ସଦସ୍ୟମାନେ ଯାଞ୍ଚ କରିବା ସମୟରେ ଅନେକଙ୍କୁ ବାଦ୍ ଦେଇଛନ୍ତି। ବର୍ତ୍ତମାନ ଦୌଡ଼ରେ ମାତ୍ର ୧୭ଜଣ ପ୍ରଫେସର ରହିଛନ୍ତି। ସେମାନଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ୩ଜଣ ଥିବା ବେଳେ ରେଭେନ୍ସାର ୪ଜଣ ପ୍ରଫେସର ରହିଛନ୍ତି। ବାକି ୧୦ଜଣ ରାଜ୍ୟ ଓ ବାହାର ରାଜ୍ୟର ଶିକ୍ଷାନୁଷ୍ଠାନରୁ ଅଛନ୍ତି। ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରମାନଙ୍କ ସାକ୍ଷାତକାର ଏହି ମାସ ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହେବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।





