ଶାସନ ବ୍ୟବସ୍ଥାକୁ ଲୋକଙ୍କ ଦୁଆର ମୁହଁକୁ ନେବା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନଭେମ୍ବର ୧ ତାରିଖରୁ ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲ୍‌ରେ ନୂଆ ସବ୍‌ରେଜିଷ୍ଟ୍ରେସନ୍‌ ଅଫିସ ଖୋଲିଛି। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିଥିବାର ଦେଖିବାକୁ ମିଳିଛି । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗକୁ ପର୍ଯ୍ୟାୟକ୍ରମେ ସମସ୍ତ ତହସିଲ୍‌ରେ ସବ୍‌ରେଜିଷ୍ଟ୍ରି ଅଫିସ ଖୋଲିବ। ସବୁ ତହସିଲରେ ସବ୍‌ରେଜିଷ୍ଟ୍ରେସନ ଅଫିସ ଖୋଲିବା ଦ୍ବାରା ଜନସାଧାରଣଙ୍କୁ ଅନେକ ସୁବିଧା ମିଳିପାରିବ। ଦୂରଦୂରାନ୍ତକୁ ଯାଇ ଜମି ପଞ୍ଜୀକରଣ କରିବାର ଅସୁବିଧା ଓ ଖର୍ଚ୍ଚରୁ ମୁକ୍ତି, ସମୟଉପଯୁକ୍ତ ପଞ୍ଜୀକରଣ, ସହଜରେ ମ୍ୟୁଟେସନ ପଟ୍ଟା ଉପଲବ୍ଧ, ରାଜସ୍ୱ ସଂଗ୍ରହରେ ଉନ୍ନତି ଏବଂ ସର୍ବୋପରି ଜମି ପଞ୍ଜୀକରଣରେ ପାରଦର୍ଶିତା ବୃଦ୍ଧି ପାଇବ। ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସରକାରୀ ସେବା ସୁବିଧା ପାଇବା ହେଉଛି ଲୋକଙ୍କ ଅଧିକାର। ସମସ୍ତ ଅଧିକାରୀ ଓ କର୍ମଚାରୀ ଲୋକଙ୍କୁ ସମ୍ମାନର ସହିତ ଉତ୍ତମ ସେବା ଯୋଗାଇ ଦିଅନ୍ତୁ। ଆମର ମୂଳ ଲକ୍ଷ୍ୟ ହେଉଛି ଶାସନ ବ୍ୟବସ୍ଥାକୁ ସ୍ୱଚ୍ଛ, ପାରଦର୍ଶୀ ଓ ଲୋକାଭିମୁଖୀ କରିବା।

ଗତ ୧୬ ମାସ ଧରି ଆମ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିଛନ୍ତି। ଯେତେଦୂର ସମ୍ଭବ ଶାସନ ବ୍ୟବସ୍ଥାକୁ ଲୋକଙ୍କ ଦୁଆର ମୁହଁକୁ ନେବା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ଏହା ହାସଲ କରିବା ପାଇଁ ଟେକ୍ନୋଲୋଜିର ଆବଶ୍ୟକତା ଅଛି। ଏବେ ଟେକ୍ନୋଲୋଜିର ବ୍ୟବହାର କରି ସରକାର ଲୋକଙ୍କ ନିକଟତର ହୋଇପାରୁଛନ୍ତି ଏବଂ ଜନସାଧାରଣ ଘରେ ବସି ଅନେକ ସରକାରୀ ସେବା ସୁବିଧାରେ ପାଇପାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

Related Posts