ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ତିନି ଜଣିଆ ନିଯୁକ୍ତି କମିଟିର ସୁପାରିଶ କ୍ରମେ କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି କରନ୍ତି। ତେବେପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଲୋକସଭାର ବିରୋଧୀ ଦଳ ନେତା ଏବଂ ଭାରତର ମୁଖ୍ୟ ବିଚାରପତି କିମ୍ବା ତାଙ୍କ ଦ୍ୱାରା ମନୋନୀତ ସୁପ୍ରିମକୋର୍ଟର ଜଣେ ବିଚାରପତି ସାମିଲ ହୁଅନ୍ତି। ତେଣୁ ଏଥିରେ ରାହୁଲ ଗାନ୍ଧୀ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ଥିବା ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ମେ ୨୫ରେ ଶେଷ ହେଉଛି। ୧୯୮୬ ବ୍ୟାଚ୍‌ର କର୍ଣ୍ଣାଟକ କ୍ୟାଡରର ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ଏବଂ ରାଜ୍ୟ ପୋଲିସ ମୁଖ୍ୟ ଶ୍ରୀ ସୁଦ ୨୦୨୩ ମେ ମାସରେ ସୁବୋଧ କୁମାର ଜୟସୱାଲଙ୍କ ପରେ ସିବିଆଇ ନିର୍ଦ୍ଦେଶକର ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ଶରିବାକୁ ଆଉ ୨୦ ଦିନ ସମୟ ରହିଥିବା ବେଳେ ସିବିଆଇ ନିର୍ଦ୍ଦେଶକ ଚୟନ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ୨୦୧୯ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୬ ମାସରୁ କମ୍ କାର୍ଯ୍ୟକାଳ ବାକି ଥିବା କୌଣସି ଅଧିକାରୀଙ୍କୁ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ବିଚାର କରାଯାଇପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷରୁ କମ୍ ହୋଇପାରିବ ନାହିଁ ଏବଂ କେବଳ ନିଯୁକ୍ତି କମିଟିର ସମ୍ମତିରେ ତାଙ୍କୁ ସ୍ଥାନାନ୍ତର କରାଯାଇପାରିବ।

Related Posts