ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁରକ୍ଷା ବାହିନୀଙ୍କ ଟାର୍ଗେଟ୍ରେ ଦୁର୍ଦ୍ଦାନ୍ତ ମାଓବାଦୀ । ୧୨୫ ଗାଁକୁ ଘେରିଛନ୍ତି ୨ ହଜାର ଯବାନ। ତେବେ ଦନ୍ତେୱାଡା, ବିଜାପୁର ଏବଂ ସୁକମା ଜିଲ୍ଲାର ତିନି ଏସପି ଏହି ଅପରେସନର ନେତୃତ୍ବ ନେଉଛନ୍ତି। ଏହି ଅପରେସନ ନକ୍ସଲ ସଂଗଠନର ଦୁର୍ଦ୍ଦାନ୍ତ ନେତା ହିଡ଼ମା, ଦେବା ଓ ଏରାକୁ ଧରିବା ଓ ମାରିବାକୁ ନେଇ କରାଯାଉଛି। ଏମାନଙ୍କ ଲୁଚିବା ଠିକଣା ଜାଣିବାକୁ ଡ୍ରୋନର ସାହାଯ୍ୟ ନିଆଯାଉଛି। ଏଥିସହ ହେଲିକ୍ୟାପଟରେ ଆକ୍ରମଣକୁ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି ଯବାନ। କେରାଗୁଟ୍ଟା ଜଂଗଲରେ ହୋଇଥିବା ଅପରେସନ ପରେ ଏହାକୁ ଦ୍ବିତୀୟ ବଡ ଅପରେସନ ବୋଲି କୁହାଯାଉଛି। ଯବାନ ଘେରିଥିବା ୧୨୫ ଗାଁରେ ହିଁ ଏହି ତିନି ଦୁର୍ଦାନ୍ତ ନକ୍ସଲ ଲୁଚି ରହିଥିବା ପୁଲିସ ଅନୁମାନ କରୁଛି। କିନ୍ତୁ ହିଡମା ସବୁଠାରୁ ଚାଲାକ ନକ୍ସଲ। ପୁଲିସକୁ ସବୁବେଳେ ଧକ୍କା ଦେବାରେ ଉସ୍ତାଦ ବୋଲି ପୁଲିସ ମଧ୍ୟ ସ୍ବୀକାର କରୁଛି।ନକ୍ସଲ ଓ ଯବାନଙ୍କ ମଧ୍ୟରେ ଭେଟାଭେଟି ହେଲେ ଏକ ବଡ଼ ଏନକାଉଣ୍ଟର ହେବ ବୋଲି ପୁଲିସ ଅନୁମାନ କରିସାରିଛି। ପୁଲିସର ମୁଖ୍ୟ ଲକ୍ଷ୍ୟ ହେଲା ହିଡମାକୁ ଧରିବା ନଚେତ ମାରିବା। ହିଡ଼ମା ପିଏଲଜିଏର ବାଟାଲିୟନ ୧ର ମୁଖ୍ୟ ତଥା ସିସି ମେମ୍ବର ଅଟେ। ହିଡମା ନାମରେ ବିଭିନ୍ନ ରାଜ୍ୟରେ ଘୋଷିତ ପୁରସ୍କାରକୁ ମିଶାଇଲେ ଅଢେଇ କୋଟି ଟଂକା ହେବ।
ସେପଟେ ଗତ ଜାନୁଆରିରେ ହୋଇଥିବା ସ୍ବତନ୍ତ୍ର ଅପରେସନରେ ହିଡମାକୁ ପୁଲିସ ଘେରିସାରିଥିଲା। କିନ୍ତୁ ଦୁର୍ଭାଗ୍ୟ ବସତଃ ସେ ଖସି ପଳାଇବାରେ ସଫଳ ହୋଇଥିଲା। ଏହି ଅପରେସନରେ ଡିଆରଜି,ଏସଟିଏଫ ସହ ସିଆରପିଏଫ ଏବଂ ବିଏସଏଫ ଯବାନ ମଧ୍ୟ ସାମିଲ ରହିଛନ୍ତି। ଏହି ଅପରେସନ ସଫଳ ହେଲେ ନକ୍ସଲ ସଂପୂର୍ଣ୍ଣ ମୂଳପୋଛ ହେବେ ବୋଲି କୁହାଯାଇଛି।





