ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା ଧମକ; କାରଖାନା ବନ୍ଦ କରି ଚାଲିଯିବାକୁ ବାଧ୍ୟ କରୁଛନ୍ତି ଦୁର୍ବୃତ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ମିଳୁଛି ହତ୍ୟା ଧମକ । କାରଖାନା ବନ୍ଦ କରି ଚାଲିଯିବାକୁ ବାଧ୍ୟ କରୁଛନ୍ତି ଦୁର୍ବୃତ୍ତ । କାରଖାନାରେ କାମ କଲେ ହାତ ଗୋଡ଼ କାଟି ଜୀଅନ୍ତା ଜାଳି ଦେବାକୁ ଖୋଲା ଧମକ ଦେଉଛନ୍ତି । ଏ ନେଇ ଧମକପୂର୍ଣ୍ଣ ପୋଷ୍ଟର ଫ୍ୟାକ୍ଟ୍ରି କାନ୍ଥରେ ଲଗାଇଥିବାର ଦେଖିବାକୁ ମିଳିଛି । ଯାହା ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି। ଜୋର ଜବରଦସ୍ତି କାରଖାନା ବନ୍ଦ କରିବାକୁ ବାଧ୍ୟ କରୁଛନ୍ତି କିଛି ଦୁର୍ବୃତ୍ତ। ତାଙ୍କ କଥା ନମାନି କାମ କଲେ ଅମରୋଲି, ସାୟନ୍ ଓ ପିପ୍ରୋଡା ଶିଳ୍ପାଞ୍ଚଳରେ କାମ କରୁଥିବା ଓଡ଼ିଆ ଶ୍ରମିଙ୍କୁ ହାତ ଗୋଡ଼ କାଟି ଜୀଅନ୍ତା ଜାଳି ଦେବେ ବୋଲି ଭୟଭୀତ କରୁଛନ୍ତି।

ଏପରିକି ରାତିରେ ଦଳ ଦଳ ହୋଇ ବାହାରକୁ ଯାଇ ଶ୍ରମିକମାନଙ୍କୁ ଧମକାଇବା ସହ ହଇରାଣ ବି କରୁଛନ୍ତି କିଛି ଅସାମାଜିକ ବ୍ୟକ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି, କିଛି ଅସାମାଜିକ ଯୁବକ କାରଖାନା ବାହାରେ ଠିଆ ହୋଇ ଭିତରେ କାମ କରୁଥିବା ଓଡ଼ିଶା ଶ୍ରମିକମାନଙ୍କୁ ଧମକ ଦେଉଛନ୍ତି। କାରଖାନା ବନ୍ଦ କରି ଚାଲିଯିବାକୁ ବାଧ୍ୟ କରୁଛନ୍ତି। ଏହା ପରେ ଭୟଭୀତ ହୋଇ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିଛି ।

Related Posts