ଡାକ୍ତରଙ୍କ ପରେ ସ୍କୁଲରୁ ଶିକ୍ଷକ ଗାଏବ

ଡାକ୍ତରଙ୍କ ପରେ ରାଜ୍ୟରେ ସ୍କୁଲରୁ ଶିକ୍ଷକ ଗାଏବ । ରାଜ୍ୟରେ ପାଖାପାଖି 189 ଜଣ ଶିକ୍ଷକ ଓ କର୍ମଚାରୀ 5 ବର୍ଷରୁ ଅଧିକ ସମୟ ଧରି ଅନଧିକୃତ ଭାବେ ଅନୁପସ୍ଥିତ ଅଛନ୍ତି । ସେମାନଙ୍କ ମଧ୍ୟରୁ 108 ଜଣ ହେଉଛନ୍ତି ଠିକା ଶିକ୍ଷକ । ଏ କଥା ଆମେ କହୁନୁ କହୁଛି ସରକାରୀ ଚିଠି ।

ବଲାଙ୍ଗିରରେ 15 ଜଣ ଓ ଯାଜପୁର ଜିଲ୍ଲାରେ ସର୍ବାଧିକ 11 ଜଣ ଶିକ୍ଷକ ସ୍କୁଲ ଆସୁନଥିବା ଜଣାପଡ଼ିଛି । ବାଲେଶ୍ବରରେ 3 ଜଣ, ଭଦ୍ରକରେ ଜଣେ ଶିକ୍ଷକ 2014ରୁ ସ୍କୁଲ ମାଟି ମାଡ଼ିନାହାନ୍ତି । । ସେହିପରି ଟିଟିଲାଗଡ଼ ବ୍ଲକର ବୁରାବନ୍ଧ ସ୍କୁଲର ସହକାରୀ ଶିକ୍ଷକ ବିନ୍ଦୋଦ ମାଝି 2014ରୁ 5 ବର୍ଷ ଧରି ସ୍କୁଲ ଆସିନାହାନ୍ତି । ସେହିଭଳି ଟିଟିଲାଗଡ଼ର ଆଉ ଏକ ସ୍କୁଲ ହେଉଛି କୁଶକେଲା ପଞ୍ଚାୟତର ରୁଣିମହୁଲ ୟୁପି ସ୍କୁଲ । ଏଠାରେ ସହକାରୀ ଶିକ୍ଷକ ଭକଚନ ଜାନି ମଧ୍ୟ୍ୟ 2014 ଫେବ୍ରୁଆରୀ ମାସରୁ ସ୍କୁଲକୁ ଆସିନାହାନ୍ତି । ତାଙ୍କୁ ବହୁବାର ନୋଟିସ ପଠାଯାଇଥିଲେ ବି ସେ ସ୍କୁଲ ଆସିନଥିବା ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ଜଳେଶ୍ବର ବ୍ଲକ ଗୁରୁଦାସପୁର ୟୁପି ସ୍କୁଲର ଶିକ୍ଷୟିତ୍ରୀ ସୁନୀତା ବାସୁରି ମଧ୍ୟ2014ରୁ ସ୍କୁଲ ଆସୁନାହାନ୍ତି । ଅନ୍ୟପଟେ ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ମଗାଯାଇଥିଲେ ବି ଏଯାଏ ରିପୋର୍ଟ ଦେଇନଥିବା ସରକାର ନିଜେ ମାନିଛନ୍ତି ।

ଏହି ଶିକ୍ଷକମାନଙ୍କର ପତ୍ତା ମିଳୁନଥଇବାରୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ । ତେବେ କିଛି ଜିଲ୍ଲାରେ ଜଣେ କି ଦୁଇ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ଅନୁମାନ କରିଛି ଗଣଶିକ୍ଷା ବିଭାଗ । ଏଥିପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଆଉ ଥରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ 5 ବର୍ଷରୁ ଅଧିକ ସମୟ ଧରି ଅନଧିକୃତ ଭାବେ ଅନୁପସ୍ଥିତ ଥିବା ଶିକ୍ଷକଙ୍କୁ ଆଉ ଚାକିରିରେ ଯୋଗଦେବାକୁ ଅନୁମତି ଦିଆଯିବନି ବୋଲି ଚିଠିରେ ଦର୍ଶାଯାଇଛି । ସେହିପରି ଠିକା କର୍ମଚାରୀଙ୍କ ବାର୍ଷିକ ଚୁକ୍ତି ହେବ ନାହିଁ । ପୂର୍ବରୁ ଶତାଧିକ ଡାକ୍ତର ଓ ଏବେ ଶିକ୍ଷକଙ୍କ ଗାଏବ ହେବା ଘଟଣା ଅନେକ ପ୍ରଶ୍ନକୁ ଜନ୍ମ ଦେଉଛି ।

କାହିଁକି ବର୍ଷ ବର୍ଷ ଧରି ଶିକ୍ଷକମାନେ ଅନୁପସ୍ଥିତ ରହିଲେ ?

ସେମାନଙ୍କ ଅନୁପସ୍ଥିତି ଯୋଗୁଁ ଶିକ୍ଷାଦାନ ବାଧାପ୍ରପ୍ତ ପାଇଁ ଦାୟୀ କିଏ ?

ଶିକ୍ଷକଙ୍କ ଅନଧିକୃତ ଅନୁପସ୍ଥିତି ବେଳେ କ’ଣ କରୁଥିଲେ ଉପରିସ୍ଥ ଅଧିକାରୀ ?

ଏତେ ଦିନ ଧରି କାହିଁକି ଚୁପ୍ ବସିଥିଲା ଗଣଶିକ୍ଷା ବିଭାଗ?

Related Posts