ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ୧୯ଟି ସଂସ୍ଥାର ନାହିଁ ପ୍ରଦୂଷଣ ପ୍ରମାଣପତ୍ର । ଏମାନଙ୍କ ମଧ୍ୟରେ ସରକାରଙ୍କ ନିୟନ୍ତ୍ରଣାଧିନ ଓମଫେଡ୍‍ ବି ରହିଛି । ତେବେ କୋରାପୁଟ ଜିଲ୍ଲାର ଜୟପୁର ଠାରେ ଥିବା ଓମଫେଡ୍‍ କାରଖାନା ପ୍ରଦୂଷଣ ନିୟନ୍ତ୍ରଣ ସମ୍ମତିପତ୍ର ବିନା ଚାଲୁଛି । ତୁରନ୍ତ ଏ ସଂକ୍ରାନ୍ତୀୟ ସମ୍ମତିପତ୍ର ହାସଲ ପାଇଁ ଓମଫେଡ୍‍କୁ ପତ୍ର ଲେଖାଯାଇଛି । ସେହିଭଳି ବିନା ପ୍ରମାଣପତ୍ରରେ ଚାଲୁଥିବା କାରଖାନା ତାଲିକାରେ ଯାଜପୁରର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଭିସା ସ୍ପେଶିଆଲ ଷ୍ଟିଲ, ସୁନ୍ଦରଗଡରେ ଥିବା ଆର ବି ଅଗ୍ରୱାଲା କମ୍ପାନୀ, ସେହି ଜିଲ୍‍ଲାରେ ଥିବା ଏଲ ଆଣ୍ଡ ଟି ଫାବ୍ରିକେଶନ, କୋରାପୁଟର ପଟାଙ୍ଗି ଠାରେ ଥିବା ବାହାର ଭାଟି ମଦ ଦୋକାନ, କୋରାପୁଟରେ ଥିବା ସୂର୍ଯ୍ୟ ଡାଲି ଏବଂ ତେଲ କାରଖାନା । ତେବେ ଏହି ତାଲିକାରେ ସଂଖ୍ୟାଧିକ ବାହାର ଭାଟି ମଦ ଦୋକାନ ଥିବା ଜଣାଯାଇଛି । ଏମାନେ ବିନା ସମ୍ମତିପତ୍ରରେ ବ୍ୟବସାୟ ଚଳାଇଥିବାବେଳେ ସେମାନଙ୍କୁ ଏଥିପାଇଁ ଆବେଦନ କରିବାକୁ କୁହାଯାଇଛି । ସେପଟେ ରାଜ୍ୟରେ ଥିବା ୮୬୦୪ ଟି ଶିଳ୍ପ ପ୍ରତିଷ୍ଠାନ ମଧ୍ୟରୁ ୬୬୬୦ ଟି ଶିଳ୍ପ ପ୍ରତିଷ୍ଠା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ସମ୍ମତିପତ୍ର ହାସଲ କରି କାର୍ଯ୍ୟକ୍ଷମ ଅଛି ଏବଂ ୧୯୪୪ଟି ଶିଳ୍ପର ଅନୁମତି ପାଇଁ ଆବେଦନ କରିଛନ୍ତି । ଏହିସବୁ ଆବେଦନଗୁଡିକ ବୋର୍ଡ ନିକଟରେ ବିଚାରାଧିନ ରହିଛି । ସେହିଭଳି ୭୩ଟି ଶିଳ୍ପ ପ୍ରତିଷ୍ଠାନ ରାଜ୍ୟ ସ୍ତରୀୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ ଠାରୁ ପରିବେଶ ଅନୁମତି ପ୍ରାପ୍ତ କରିଛନ୍ତି ।ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟ କରୁଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ଏହାର କ୍ଷେତ୍ରୀୟ ଦପ୍ତର ରହିଛି । ଏଠାରେ ଜଣେ ଜଣେ ଆରଓଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ବି ମୁତୟନ ହୋଇଛନ୍ତି । ଏମାନଙ୍କର ପ୍ରମୁଖ କାର୍ଯ୍ୟ ହେଉଛି ପ୍ରଦୂଷଣ କରୁଥିବା କଳାକାରଖାନା ଉପରେ ନଜର ରଖିବା ଓ ଆବଶ୍ୟକସ୍ଥଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।ଏକାଧିକ ଶିଳ୍ପସଂସ୍ଥା, ସରକାରୀ ଉଦ୍ୟୋଗ, ବ୍ୟବସାୟିକ ପ୍ରତିଷ୍ଠାନ କିଭଳି ବିନା ସମ୍ମତିପତ୍ରରେ ରାଜ୍ୟରେ କାର୍ଯ୍ୟ କରୁଛି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏମାନେ ସମ୍ମତିପାଇଁ ଆବେଦନ ନକରି କାହାର ସାହସ ବଳରେ କାରଖାନା ଓ ବ୍ୟବସାୟ ପ୍ରତିଷ୍ଠାନ ଚଳାଇଲେ ଓ ବୋର୍ଡ ପକ୍ଷରୁ କାହିଁକି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।