ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମ ଓ ମେଘାଳୟରେ ବନ୍ୟା ବିତ୍ପାତ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି । ତେବେ ଗତ ଦୁଇ ଦିନ ହେବ ଆସାମ ଓ ମେଘାଳୟରେ ବୃଷ୍ଟିପାତଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୩୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଆସାମର ୨୮ଟି ଜିଲ୍ଲାରେ ପ୍ରାୟ ୧୯ ଲକ୍ଷ ଜନତା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷ ଜନତା ରିଲିଫ୍ କ୍ୟାମ୍ପ୍ମାନଙ୍କରେ ଆଶ୍ରୟ ନେଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ବନ୍ୟା ଯୋଗୁଁ ଗତ ଦୁଇ ଦିନରେ ଆସାମରେ ୧୨ଜଣ ଏବଂ ମେଘାଳୟରେ ୧୯ଜଣଙ୍କର ମୃତ୍ୟୁ ଘଟିଛି।
ତ୍ରିପୁରାର ରାଜଧାନୀ ଅଗରତାଲାରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଆକସ୍ମିକ ବନ୍ୟା ଆସିଛି। ସେଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ମାତ୍ର ୬ ଘଣ୍ଟା ମଧ୍ୟରେ ସହରରେ ୧୪୫ ମିଲିମିଟର୍ ବର୍ଷା ହୋଇଛି। ଏଥିଯୋଗୁଁ ତ୍ରିପୁରା ଉପନିର୍ବାଚନ ପ୍ରଚାର ମଧ୍ୟ ପ୍ରଭାବିତ ହୋଇଛି। ସରକାରୀସୂତ୍ରରୁ ଜଣାପଡ଼ିଛି ଯେ, ଗତ ୬୦ ବର୍ଷ ମଧ୍ୟରେ ଏହା ହେଉଛି ଅଗରତାଲାରେ ୩ୟ ସର୍ବାଧିକ ବୃଷ୍ଟିପାତ।
