ଛତିଶଗଡ଼ରେ କଂଗ୍ରେସର ପ୍ରଥମ ବିଜୟ, ଏହି 5ଟି କାରଣ ପଡ଼ିଲା ରମଣ ସିଂହଙ୍କ ଉପରେ ଭାରୀ

ଛତିଶଗଡ଼ରେ ଦୀର୍ଘ 15 ବର୍ଷ ପରେ କ୍ଷମତାକୁ ଫେରିଲା କଂଗ୍ରେସ । ଏହି ଫଳାଫଳ ବିଜେପି ପାଇଁ ଶକ୍ତ ଧକ୍କା । ଏହାକୁ କଂଗ୍ରେସର ବିଜୟ ଯେତିକି ନୁହେଁ, ତା ଠାରୁ ଅଧିକ ଦେଖାଯାଉଛି ବିଜେପିର ପରାଜୟ ଭାବରେ । ନଜର ପକାଇବା ସେହି ଗୁରୁତ୍ବପୂର୍ଣ୍ଣ କାରଣ ଗୁଡ଼ିକ ଉପରେ ଯାହା ଫଳରେ ଛତିଶଗଡ଼ରେ ରମଣ ସିଂହଙ୍କୁ ପରାଜିତ ହେବାକୁ ପଡ଼ିଲା ।

15 ବର୍ଷର ସରକାର । ବିକାଶର ଜୋରଦାର ଦାବି । ବିଜେପି ହେଭିୱେଟ୍‌ଙ୍କ ମାରାଥନ୍‌ ପ୍ରଚାର । ତା ସତ୍ବେ ଝାଡ଼ଖଣ୍ଡରେ ମଉଳିଗଲା ପଦ୍ମ । ଫସଲର ଦରକୁ ନେଇ କୃଷକମାନେ ଲଗାତାର ବିଜେପି ସରକାର ବିରୋଧରେ କରିଆସୁଥିଲେ ବିକ୍ଷୋଭ । ଯାହାର କ୍ଷତି ଦଳକୁ ଉଠାଇବାକୁ ହେଲା ।

ରମଣ ସିଂହଙ୍କ ବିରୋଧୀ ହାୱା

2003ଠାରୁ ରାଜ୍ୟରେ ସରକାର ଚଲାଉଥିବା ବିଜେପି ଏଥର ରାଜ୍ୟରେ ସରକାର ବିରୋଧୀ ହାୱାର ସାମ୍ନା କଲା । ନିର୍ବାଚନ ପୂର୍ବରୁ ହିଁ ରମଣ ସିଂଙ୍କ ବିରୋଧରେ ଦେଖାଯାଉଥିଲା ହାୱା । ଏ ବାବଦରେ ଏକଜିଟ୍‌ ପୋଲ୍‌ରେ ମଧ୍ୟ ସୂଚନା ମିଳିଥିଲା । କିନ୍ତୁ ଏକଥା କେହି ଅନୁମାନ କରୁ ନ ଥିଲେ ଯେ ବିଜେପିର ଗଡ଼ କୁହାଯାଉଥିବା ଛତିଶଗଡ଼ରେ ରମଣ ସିଂଙ୍କର ଏମିତି ପରାଜୟ ହେବ ।

କୃଷକଙ୍କ ଜୋରଦାର ବିରୋଧ

ରମଣ ସିଂ ଯଦିଓ ରାଜ୍ୟରେ ଚାଉଳ ବାଲା ବାବା ନାଁରେ ପ୍ରସିଦ୍ଧ ଥିଲେ, କିନ୍ତୁ କୃଷକଙ୍କ ଆନ୍ଦୋଳନ ତାଙ୍କ ଉପରେ ଭାରୀ ପଡ଼ିଲା । ରମଣ ସିଂହଙ୍କ ସରକାରଙ୍କୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ଭୋଟ୍‌ ଭାବରେ ବାହାରକୁ ଆସିଲା । ଚାଷୀମାନେ ଲଗାତାର ଫସଲର ଦାମ୍‌କୁ ନେଇ ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଆସୁଥିଲେ । ଯାହାର ଫଳ ବିଜେପିକୁ ଭୋଗିବାକୁ ପଡ଼ିଲା ।

କାମ ଦେଲା ଋଣ ଛାଡ଼ ମାଷ୍ଟରଷ୍ଟ୍ରୋକ୍‌

ଛତିଶଗଡ଼ରେ ରମଣ ସିଂହ ସରକାର ଉପରେ ଥିବା ଚାଷୀଙ୍କ ଅସନ୍ତୋଷରୁ ଲାଭ ଉଠାଇଲା କଂଗ୍ରେସ । ସରକାରକୁ ଆସିଲେ 10 ଦିନ ଭିତରେ ଋଣ ଛାଡ଼ କରିବାକୁ ଇସ୍ତାହାରରେ ପ୍ରକାଶ କଲା କଂଗ୍ରେସ । ଯାହା ପାଲଟିଲା ମାଷ୍ଟରଷ୍ଟ୍ରୋକ୍‌ । ଏହି କାରଣରୁ ପୁରା ରାଜ୍ୟରେ ଦେଖାଗଲା କଂଗ୍ରେସ ଲହରୀ ।

ମାଓ ଦମନରେ ବିଫଳତା

ରମଣ ସିଂହଙ୍କ ପରାଜୟର ବଡ଼ କାରଣ ହେଲା ମାଓ ଦମନରେ ବିଫଳତା । ମାଓ ପ୍ରଭାବିତ ଅଞ୍ଚଳରେ ଲଗାତାର ଆକ୍ରମଣ ଚାଲିଥିଲା, ଆଉ ସେହି ଅଞ୍ଚଳ ସବୁରେ ନିର୍ବାଚନରେ ହେଲା ବମ୍ପର ଭୋଟିଂ । ଏଣୁ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଉଛି ଏହି ବମ୍ପର ଭୋଟି ରମଣ ସିଂ ସରକାର ବିରୋଧରେ ହିଁ ଥିଲା । ମାଓ ପ୍ରଭାବିତ ଅଞ୍ଚଳରେ ବସ୍ତର ଦାନ୍ତେୱାଡ଼ା ଭଳି ଆସନ ବି ରହିଛି ।

ଦଳିତ ଓ ଆଦିବାସୀ ବିଗାଡ଼ିଲେ ବିଜେପିର ଖେଳ

ଛତିଶଗଡ଼ରେ ମୋଟ ଭୋଟର ସଂଖ୍ୟାର 31.8 ପ୍ରତିଶତ ଭୋଟର ଆଦିବାସୀ ସମ୍ପ୍ରଦାୟର ଏବଂ 11 ପ୍ରତିଶତ ଭୋଟର ଦଳିତ । ଅର୍ଥାତ୍‌ ରାଜ୍ୟରେ କ୍ଷମତାର ଚାବି ଏମାନଙ୍କ ପାଖରେ ହିଁ ଅଛି । ମିଳିଥିବା ରିପୋର୍ଟ ଅନୁସାରେ ଆଦିବାସୀ ବହୁଳ ଅଞ୍ଚଳରେ ବିଜେପି ଦୟନୀୟ ଭାବେ ପରାସ୍ତ ହୋଇଛି ।

Related Posts