୧୯ରୁ ୨୪ ଯାଏ ନବୀନଙ୍କ ମୋଦକ : ପାଞ୍ଚଟା T ଓ ଗୋଟିଏ P

ସତ୍ୟପାଠ ବ୍ୟୁରୋ : ଧନ୍ୟବାଦ ନବୀନ । ଆଉ୨୦୩୬ ଯାଏ ନୁହେଁ, ବରଂ ୨୪ ଭିତରେ ସବୁ ଠିକ୍ ହୋଇଯିବ । ଗରୀବି, ଶିକ୍ଷା, ବେକାରୀ, ଅପରାଧ, ଶିଳ୍ପ, ପିସି, ଘୋଟାଲା ସବୁ ସମସ୍ୟା ଠିକ ହୋଇଯିବ । କାରଣ ତାର ସୂତ୍ର ଏବେ ମିଳିଯାଇଛି ନବୀନ ବାବୁଙ୍କୁ । ନବୀନ ବାବୁ ଯେଉଁ ମହୌଷଧିଟି ବାହାର କରିଛନ୍ତି ତାହାହେଲା ପାଞ୍ଚଟା ଟି ଓ ଗୋଟିଏ ପି ।

ଗୋଟିଏ ଅକ୍ଷରରୁ ଶବ୍ଦ ତିଆରି କରି କିଭଳି ଭାବେ ହଟଚମଟ କରାଯାଇପାରେ ତାହା ହେଉଛି ଫାଇଭ-ଟି (5-T)। ଇଂରାଜୀ ଅକ୍ଷର ‘T’ରୁ ସୃଷ୍ଟି ହୋଇଥିବା ୫ଟି ଶବ୍ଦ ବା ଶବ୍ଦଗୁଚ୍ଛ । ଯାହାର ଆକ୍ଷରିକ ଓଡିଆ ବୁଝାଇବା ସହଜ, କିନ୍ତୁ ଇଂରାଜୀରେ ଏହି ଶବ୍ଦ ସବୁ ଶୁଣିବାକୁ ଦାମୀ ଓ ଗୁରୁତ୍ୱ ଥିବା ଭଳି ଲାଗେ । ଭାଷାକୋଷର ଶବ୍ଦରୁ ଶବ୍ଦର ତରଙ୍ଗ ସୃଷ୍ଟି କରିବାକୁ କୁହାଯାଏ ଜାର୍ଗନ (Jargon-special words or expressions used by a profession or group that are difficult for others to understand) । ଅର୍ଥାତ ଏଭଳି କିଛି ଶବ୍ଦ ବ୍ୟବହାର କରାଯିବ ଯାହାକି ସାଧାରଣ ଲୋକେ ଭାବିବେ ବିରାଟ କିଛି ପରିବର୍ତ୍ତନ କରାଯାଉଛି କିନ୍ତୁ ବସ୍ତୁତଃ ସେମିତି କିଛି ହେଉ ନଥିବ । ଏହି ଜାର୍ଗନ ଶବ୍ଦ ଗୁଚ୍ଛ ଓଡିଶା ରାଜନୀତିର ଏଭଳି ସମୟରେ ବଜାରକୁ ଛଡାଗଲା ଯାହାଦ୍ୱାରା ବିଗତ ୨୦ବର୍ଷର ଟର୍ମର ପ୍ରଶାସନିକ ଓ ରାଜନୈତିକ ବିଫଳତା ଲୁଚିଯିବ ଓ ସବୁ ସମ୍ୟାର ସମାଧାନ ପାଇଁ ଏକ ବିରାଟ ପରିବର୍ତ୍ତନର ଫର୍ମୁଲା ବାହାରିବା ଭଳି ଲାଗିବ ଏବଂ ସମସ୍ତଙ୍କ ମନରେ ଏକ ନୂଆ ଆଶା ସଂଚାର ହୋଇପାରି ।

ବିଷୟବସ୍ତୁକୁ ଯିବା ପୂର୍ବରୁ ସେହି ୫ଟି ଶବ୍ଦ ପ୍ରଥମେ ଜାଣିନେବା ଉଚିତ :

୧. ଟାଇମ୍ (TIME)- ଓଡିଆରେ ସମୟାନୁବର୍ତ୍ତୀତା ବୋଲି କୁହାଯାଇପାରେ । ଆବାହମାନ କାଳରୁ ସମୟର ସଦୁପଯୋଗ କରିବାକୁ ପରାମର୍ଶ ଦିଆଯାଇ ଆସୁଛି । ସମୟ ଭିତରେ କାମ କରିବା ଓ କାମ ସାରିବା ପ୍ରତ୍ୟେକ ମଣିଷର କାର୍ଯ୍ୟ ଓ ଲୋକସେବକ ବା ସରକାରୀ କର୍ମଚାରୀ ମାନେ ଏଥିପ୍ରତି ବେଶୀ ଯତ୍ନବାନ ଥାଆନ୍ତି ।
୨. ଟିମ୍ ୱାର୍କ (Team Work)- ଏହା କିଛି ନୁଆ କଥା ନୁହେଁ । ପିଲାଦିନେ କାଠିଗୁଛା ଭାଙ୍ଗିବାର ଗପ ସମସ୍ତେ ପଢ଼ିଥିବେ । ଏକାଠି ରହିଲେ ବା ଏକାଠି କାମ କଲେ କାମ ଶୀଘ୍ର ହୁଏ ଓ ନିର୍ଭୁଲ ହୁଏ ବୋଲି କୁହାଯାଏ । ଖାସ କରି ସଚିବ, ଅତିରିକ୍ତ ସଚିବ, ପ୍ରମୁଖ ସଚିବ ଓ ମୁଖ୍ୟ ଶାସନ ସଚିବ ଭଳି ପଦବୀ ତ ସେଇଥିପାଇଁ ସୃଷ୍ଟି ହୋଇଛି । ଏମାନେ ଜଣେ ଆଉ ଜଣଙ୍କ ସହ ବନ୍ଧା । ମାନେ ଗୋଟିଏ ଟିମ୍ ହୋଇ କାମ କରନ୍ତି ।
୩. ଟ୍ରାନ୍ସପରେନ୍ସି( Transparency)- ଓଡିଆରେ ଏହାର ଅର୍ଥ ହେଉଛି ସ୍ୱଚ୍ଛତା । ସରକାରୀ ସ୍ତରରେ ସବୁ କାମରେ ସ୍ୱଚ୍ଛତା ରହିବା ତ ଦରକାର । ଏହା ପ୍ରଶାସନିକ ସେବା ପାଠପଢ଼ାରେ ବି କୁହାଯାଇଥାଏ । ପ୍ରଶିକ୍ଷଣ ବେଳେ ବି ମନେ ପକାଯାଏ ।
୪. ଟେକ୍ନୋଲୋଜି (Technology)- ଜ୍ଞାନ କୌଶଳ । ଏହାର କାମ ଜାଣି ନଥିଲେ ସରକାରୀ ଚାକିରୀ ମିଳେନାହିଁ ବୋଲି ବି ସମସ୍ତେ ଜାଣିଛନ୍ତି । ଏମିତି ଦେଖିବାକୁ ଗଲେ ବିଜୁଳି ବିଲ ଦେବା ପାଇଁ ଆଜି ଓଡିଶା ଚାଇନା ମିଟର ଉପରେ ନିର୍ଭର କରୁଛି । ତେଣୁ ଓଡିଶାରେ ଜ୍ଞାନକୌଶଳର ଅତ୍ୟାଧୁନିକତା ଯେ କେବଳ ଲୁହାରଡ୍ କାଟିବା ଛଡା ଆଉ କେଉଁ କାମରେ ଲାଗୁନି ।
୫. ଟ୍ରାନ୍ସଫରମେସନ(Transformation)- ଏହାର ଆକ୍ଷରିକ ଓଡିଆ ଶବ୍ଦକୋଷରେ ପାଇବା ବି କଷ୍ଟକର । ଶୁଣିବାକୁ ଟିକିଏ ଓଜନିଆ, ଦାମୀ ଓ ଆଳଙ୍କାରିକ ଭଳି ଲାଗୁଥିବା ଏ ଶବ୍ଦଟି ବାସ୍ତବିକ ପରିବର୍ତ୍ତନ ଅର୍ଥରେ ବୁଝାଯାଇପାରେ । ଅର୍ଥାତ ଯାହା ଚାଲୁଛି ତାହାକୁ କିଭଳି ବଦଳା ଯାଇପାରେ । ଏ କ୍ଷେତ୍ରରେ ସିଷ୍ଟମରେ ପରିବର୍ତ୍ତନ ଆଣିବା ଅର୍ଥରେ ବୁଝାଯିବ ।

ଏ କାର୍ଯ୍ୟଗୁଡିକ ପୂର୍ବରୁ ହୋଇ ଆସୁଥିଲା ଓ ହେଉଛି । ସରକାରୀ ସେବା ନୀତି ଭିତରେ ଏସବୁ ଥିଲା ଓ ସେହି ଅନୁସାରେ କାମ ହେଉଥିଲା । ଯେଉଁ କାର୍ଯ୍ୟ ଗୁଡିକ ପୂର୍ବରୁ ହୋଇ ଆସୁଛି ତାହା ପୁନର୍ବାର କଣ କରାଯିବ ? ଏହାପଛରେ ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତିଗତ ସଚିବଙ୍କୁ ଖୁସି କରାଇବାକୁ ନୂଆ ପଦ ସୃଷ୍ଟି କରିଛନ୍ତି ଓ ତାଙ୍କୁ ଅଫିସର ହେଡ୍ କରିଛନ୍ତି ଏହା ଜଳ ଜଳ ହୋଇ ଦିଶୁଛି । ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟିରେ ଥିବା ଜଣେ ବରିଷ୍ଠ ସାମ୍ବାଦିକ ନିଜ ୱେବ ପୋର୍ଟାଲରେ ପାଣ୍ଡିଆନଙ୍କୁ ସର୍ବମୟ କର୍ତ୍ତା ବୋଲି ଲେଖିଲେ ଏପରିକି ନିର୍ବାଚନରେ ଟିକେଟ କିଏ ପାଇବ ନ ପାଇବା ତାହା ବି ପାଣ୍ଡିଆନ ବୁଝୁଥିଲେ ବୋଲି ଲେଖିଲେ । ମୋଟାମୋଟି ଭାବରେ ନିର୍ବାଚନରେ ବିଜେଡି ଅପୂର୍ବ ସଫଳତା ପାଇବାର ସବୁ ଶ୍ରେୟ ପାଣ୍ଡିଆନଙ୍କୁ ଦିଆଗଲା ଅଥଚ ବିଜେଡି, ମୁଖ୍ୟମନ୍ତ୍ରୀ କିମ୍ବା ନିଜେ ପାଣ୍ଡିଆନ ଏହାକୁ ଖଣ୍ଡନ ନକରି ମୌନେ ସମ୍ମତି ଦେଖାଇଲେ । ତେଣୁ ସଫଳତା ପାଇଁ ସାବାସୀ ଦେବାକୁ ଯାଇ ନବୀନ ଯେ ପାଣ୍ଡିଆନଙ୍କୁ ଖୁସି କରାଇବାକୁ ଚାହିଁଛନ୍ତି ଏହା ଏବେ ଆଲୋଚନାର ବିଷୟ ହୋଇଛି ।

ପ୍ରଥମେ ଲାଗୁଥିଲା ଏହା ପ୍ରଶାସନିକ ପରିଚାଳନାର ଏକ ଫର୍ମୁଲା ବା ଏକ ଦର୍ଶନ (ଫିଲୋସୋଫି) । ରାଜ୍ୟ ସରକାର ଏଣିକି ଏହି ଦର୍ଶନରେ କାର୍ଯ୍ୟ କରିବେ । କିନ୍ତୁ ପରେ ଦେଖାଗଲା, ଏହାକୁ ଏକ ବିଭାଗ ଭଳି ବିବେଚନା କରାଗଲା । ଆଉ ଏହାର ଦାୟିତ୍ୱ କାହାକୁ ଦିଆଗଲା, ମୁଖ୍ୟମନ୍ତ୍ରୀଙ୍କର ଏକଦମ୍ ଖାସ, ଅନୁଗତ, ତାଙ୍କର ରାଜନୈତିକ ଉଚ୍ଚାକାଂକ୍ଷା, ଉଚ୍ଚାଭିଳାଶ, ଲକ୍ଷ୍ୟକୁ ପୁରଣ କରିବାରେ ତାଙ୍କ ପାଖରେ ଛାଇ ଭଳି ରହୁଥିବା ଲୋକକୁ । ଏକଥା ସତ ଭିକେ ପାଣ୍ଡିଆନଙ୍କ ଦକ୍ଷତା ଉପରେ କେହି ପ୍ରଶ୍ନ କରୁ ନାହାଁନ୍ତି । ସେ ଯେ ଦକ୍ଷ ଅଧିକାରୀ ନୁହଁନ୍ତି ଏକଥା କେହି କେହି ନାହାଁନ୍ତି । କିନ୍ତୁ ଯେଉଁଭଳି ଢ଼ଙ୍ଗରେ ତାଙ୍କୁ ଦିଆଗଲା, ତାକୁ ନେଇ କଥା ଉଠିଛି । ୨୦୧୧ ମସିହାରୁ ବ୍ୟକ୍ତିଗତ ସଚିବ ଥିଲେ । ଆଉ ଏବେ ଯେଉଁ କାମଟି ଦିଆଗଲା, ଇଏ ପୁରା ଛୁଆ ମାନ୍ୟବର ଭଳି । ମାନ୍ୟବର ତ ମାନ୍ୟବର ମୁଖ୍ୟମନ୍ତ୍ରୀ, ଏ କାମଟା ଜଗିବା ଲୋକ ହେଉଛି ସର୍ବୋଚ୍ଚ ।

ସ୍କୁଲରେ ପ୍ରଧାନଶିକ୍ଷକ ସିଏ, ଯିଏ ପିଲାଙ୍କୁ ବି ଜଗିବ, ମାଷ୍ଟରଙ୍କୁ ବି ଜଗିବ । ଅର୍ଥାତ ଫାଇଭ-ଟିକୁ ଯିଏ ମନିଟର କରିବ, ସିଏ ପ୍ରକୃତରେ ହେଡ୍ ପାଷ୍ଟର । ସିଏ ମନ୍ତ୍ରୀଙ୍କୁ ବି ଜଗିବ ଆଉ ମୁଖ୍ୟ ଶାସନ ସଚିବଙ୍କ ଠାରୁ ନେଇ ପିଅନ ପର୍ଯ୍ୟନ୍ତ ସମସ୍ତେ ଫାଇଭ-ଟି ଭିତରେ କାମ କରୁଛନ୍ତି କି ନାହିଁ ଯିଏ ଦେଖିବ । ଏ ଦେଖିବା ଲୋକଟା ହେଉଛି ସିଏ ସର୍ବ ଶକ୍ତିମାନ ମାନେ ମୁଖ୍ୟମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀ ଏ ଦାୟିତ୍ୱ ପାଣ୍ଡିଆନଙ୍କୁ ଦେଲେ । ଏ ଯେଉଁ କଳସଟି ତାଙ୍କ ମୁଣ୍ଡରେ ଢ଼ଳାଗଲା ଏହାକୁ ନେଇ ଚର୍ଚ୍ଚା ଉଠିଛି ।

କୁହାଯାଉଛି, ଉଣେଇଶି ନିର୍ବାଚନର ସଫଳତା ପାଇଁ ଏ ହେଉଛି ତାଙ୍କୁ ନବୀନ ବାବୁଙ୍କ ପୁରସ୍କାର । ଏହାଦ୍ୱାରା ପାଣ୍ଡିଆନ ଆଉ କାହା ପାଖରେ ଉତ୍ତର ଦାୟୀ ରହିବେ ନାହିଁ । ଯଦିଓ ସିଏ ସବୁଠାରୁ ବରିଷ୍ଠ ପ୍ରଶାସକ ନୁହଁନ୍ତି, ତାଙ୍କୁ ଉପରେ ସେକ୍ରେଟାରୀ, ପ୍ରିନ୍ସିପାଲ ସେକ୍ରେଟାରୀ ଓ ଚିଫ୍ ସେକ୍ରେଟାରୀ ଅଛନ୍ତି ତଥାପି ସେ କାହା ପାଖରେ ଉତ୍ତର ଦାୟି ନୁହଁନ୍ତି । କାରଣ ଯେପର୍ଯ୍ୟନ୍ତି ସିକ୍ସ-ଟି (୬-ଟି) ତିଆରି ନହୋଇଛି, ସେପର୍ଯ୍ୟନ୍ତ ଯିଏ ଫାଇଭ-ଟି ଦେଖିବ ସେ କାହା ପାଖରେ ଉତ୍ତର ଦାୟୀ କେମିତି ରହିବ ! ସିଏ ହିଁ ସର୍ବଶକ୍ତିମାନ, ସେ ହିଁ ବାଡି ଧରି ସମସ୍ତଙ୍କୁ ଜଗିବ ଆଉ ତାକୁ କେହି ଜଗି ପାରିବେ ନାହିଁ ।

ମନେଥିବ, ବିଗତ ଦିନରେ ଓଡିଶାରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ଅଫିସର ଉଇଦାଉଟ୍ ଡ୍ୟୁଟି (Officer Without Duty)। ରାଜ୍ୟ ସରକାରରେ ପ୍ରିୟବ୍ରତ ପଟ୍ଟନାୟକ ( IAS), ସନ୍ତୋଷ କୁମାର ମିଶ୍ର (IAS), ରମେଶ ଚନ୍ଦ୍ର ବେହେରା ( IAS), ହୃଷିକେଶ ପଣ୍ଡା ( IAS), ଅରୁଣ କୁମାର ଉପାଧ୍ୟାୟ ( IPS), ଶିଶିର କୁମାର ଆଚାର୍ଯ୍ୟ ( IFS) ଓ ଅମରେନ୍ଦ୍ର ଜୟଶ୍ୱାଲ ( IFS) ପ୍ରମୁଖ ଅଫିସର ଉଇଦାଉଟ୍ ଡ୍ୟୁଟିର ଲାଭ ଉଠାଇଥିବା ଜଣାଯାଏ । ଯେଉଁ ସରକାରୀ ଅଧିକାରୀଙ୍କ ପିଛା ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା କେବଳ ଦରମା ଆକାରରେ ଖର୍ଚ୍ଚ ହୁଏ ସେମାନଙ୍କୁ ଜଗିବା ପାଇଁ ବା ତାଙ୍କ କାମ ଉପରେ ନିଘା ରଖିବା ପାଇଁ ଜଣେ ବ୍ୟକ୍ତି ପୁନଶ୍ଚ ଦରମା ନେବ ଆଉ ତା ଉପରେ ଅନ୍ୟ କିଛି ଦାୟିତ୍ୱ ରହିବ ନାହିଁ, ଏବେ ଏହାହିଁ ହୋଇଛି ଭିକେ ପାଣ୍ଡିଆନଙ୍କୁ ନେଇ ।

ପାଠକଙ୍କ ବୁଝିବା ପାଇଁ କହି ରଖୁଛୁ, ପ୍ରତି ବିଭାଗର ସଚିବଙ୍କର କାମ କରିବାରେ କିଛି ଟାର୍ଗେଟ ଥାଏ । ଉଦାହରଣସ୍ୱରୁପ କେତେ ବ୍ରିଜ୍ ତିଆରି ହେଲା, କେତେ ଭୁଷୁଡିଲା , କେତେ ରାସ୍ତା ଖରାପ ହେଲା ତାହା ଦେଖିବା କାମ ହେଲା ପୁର୍ତ୍ତ ବିଭାଗ ସଚିବଙ୍କର କାମ । ଠିକ ସେମିତି ଜଳସେଚନ ହେଲା କି ନାହିଁ, ନଦୀରେ ପାଣି ଆସିଲା କି ନାହିଁ, ମହାନଦୀ କଥା କେତେବାଟ ଗଲା ଇତ୍ୟାଦି ଦେଖିବା ଜଳସମ୍ପଦ ବିଭାଗ ସଚିବଙ୍କ କାମ । ସେମିତି ଡାକ୍ତରଖାନା କେମିତି ଚାଲିଛି, ରୋଗୀସେବା କେଉଁ ଅବସ୍ଥାରେ ଅଛି, ନୂଆ ଡାକ୍ତର ଦରକାର କି ନାହିଁ ତାକୁ ଦେଖିବା ସ୍ୱାସ୍ଥ୍ୟ ସଚିବଙ୍କର ଟାର୍ଗେଟ । ସବୁ କିଛି ଭୁଲ ଚାଲିଛି କି ଠିକ୍ ଚାଲିଛି , ଏ ହେଉଛି ତାହାର ଗୋଟିଏ ଗୋଟିଏ ମାପଦଣ୍ଡ ବା ବେଂଚମାର୍କ । ଯଦ୍ୱାରା ଜଣେ ଅଧିକାରୀ ବା ସଚିବ ତାର ଫର୍ମମାନ୍ସ କେତେ ଠିକ୍ ବା କେତେ ଭୁଲ ଦେଖାଯାଏ । କିନ୍ତୁ ଫାଇଭ-ଟି ବିଭାଗର ଟାର୍ଗେଟ କଣ ? ଅର୍ଥାତ ଏ ହେଉଛନ୍ତି ଲେଖାଯୋଖା ଛୁଆ ମାନ୍ୟବର ।

Related Posts