ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଓ ରାଜ୍ୟର ୬ ଜଣିଆ ଟିମ ସୁନ୍ଦରଗଡରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ଟିମ୍ ସିଡିଏମଓ, ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଞ୍ଚଳ ଯିବାର କାର୍ଯ୍ୟକ୍ରମ ରହିଛି ।
ସେମାନେ ସିଡିଏମଓ ଡ. ଧରଣୀରଞ୍ଜନ ଶତପଥୀଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଛନ୍ତି। ଟିମରେ଼ ଡା. ସମୀର ଗୁଲାଟି, ଡା. ତୁଷାର ନାଲେ, ଡା. ଧରା ବି ଶାହ, ଡା. ଆରୁଷି ଘାଇ ପ୍ରମୁଖ ରହିଛନ୍ତି ।
ତେବେ ଗତ ୨୨ ତାରିଖରେ ଓଡ଼ିଶାକୁ ଏକ କେନ୍ଦ୍ରୀୟ ମେଡିକାଲ ଟିମ୍ ପଠାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମ୍ ଓଡ଼ିଶା ଆସି ସଂକ୍ରମଣ ସ୍ଥିତି ନେଇ ଅନୁଧ୍ୟାନ କରୁଛନ୍ତି । ସେମାନଙ୍କ ସହ ରାଜ୍ୟର ୨ ବିଶେଷଜ୍ଞ ଥିବା ଜଣାଯାଇଛି। ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୨୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ନେଇ CDMO ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ଆରମ୍ଭରୁ ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର ଆଦି ଜିଲ୍ଲାରେ ସ୍କ୍ରବ ଟାଇଫସ ଆତଙ୍କ ଖେଳିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।





