ରାଜ୍ୟରେ ଚିହ୍ନଟ ହେଲେ ମୋଟ ୭୩୩ ‌ଡଲଫିନ୍; ଗହୀରମଥା ଓ ଭିତରକନିକାରେ ରହିଛନ୍ତି ସର୍ବାଧିକ ୫୫୦

ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ବଉଳା କୁମ୍ଭୀର ଓ ଅଲିଭରିଡଲେଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ସମଗ୍ର ବିଶ୍ବର ପ୍ରାକୃତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ହେଲେ ଏବେ ଏହି ପରିଚୟରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି। ଓଡିଶାରେ ସବୁଠୁ ଅଧିକ ସଂଖ୍ୟକ ତଥା ଅଧିକ ପ୍ରଜାତିର ଡଲଫିନ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳିଛି।

ଗଣନା ବେଳେ ଚଳିତବର୍ଷ ସାରା ଓଡିଶାରେ ମୋଟ ୭୩୩ଟି ଡଲଫିନ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଡଲଫିନ ଚିହ୍ନଟ କରାଯାଇଛି। ଅର୍ଥାତ୍ ସାରା ଓଡିଶାର ୭୫ ପ୍ରତିଶତ ଡଲଫିନ ଗହୀରମଥା ଓ ଭିତରକନିକାରେ ଅଛନ୍ତି। ଡିସେମ୍ବର୨୧ ତାରିଖ ଠାରୁ ୨୩ ତାରିଖ ୩ଦିନ ଧରି ଭିତରକନିକା ଜାତୀୟ ଉଦ୍ୟାନର ନଦୀ ଓ ଗହୀରମଥାର ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ ଡଲଫିନ ଗଣନା କରାଯାଇଥିଲା। ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନେତୃତ୍ବରେ ୯ଟି ଦଳ ଡଲଫିନଙ୍କ ଗଣନା କରିଥିଲେ। ଆଉଟର ହୁଲଇରରୁ ଚିଂଚିରି ମାଉଥ, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜରୁ ମାଈପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆ, ଜମ୍ବୁ ଖରନାସୀରୁ ହୁକିଟୋଲା, ପାରାଦ୍ବୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଦଳ ଗଣନା କରିଥିଲେ। ସମୁଦ୍ର ମଧ୍ୟରେ ୫ଟି ଟିମ ଓ ନଦୀ ଏବଂ କ୍ରିକରେ ୪ଟି ଟିମ ଗଣନା କରିଛନ୍ତି। ଏହି ଗଣନା ସମୟରେ ଭିତରକନିକା ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।

ତେବେ ସବୁଠାରୁ ବଡକଥା ହେଲା ଡଲଫିନ ଗଣନା ସମୟରେ ବଡ ଡଲଫିନଙ୍କ ସହିତ ଶାବକଙ୍କୁ ଦେଖିବାକୁ ମିଳିଥିବାରୁ ଏହା ଭିତରକନିକା ଓ ଗହୀରମଥା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହି ଗଣନାରୁ ୭୫ ପ୍ରତିଶତ ଡଲଫିନ ଗହୀରମଥା ଓ ଭିତରକନିକାରେ ଥିବା ଜଣାପଡ଼ିଛି। ଚଳିତବର୍ଷ କେବଳ ଗହୀରମଥା ରେଂଜରେ ୫୪୪ଟି ଡଲଫିନ ଚିହ୍ନଟ କରାଯାଇଥିବା ବେଳେ କନିକା ରେଂଜରେ ୪ଟି ଓ ରାଜନଗର ରେଂଜରେ ୨ଟି ଡଲଫିନ ଗଣନା ବେଳେ ଦେଖିବାକୁ ମିଳିଥିଲା। ଗହୀରମଥାରେ ହମ୍ପବ୍ୟାକ୍‌ ସଉସା ପ୍ଲମ୍ବିଆ ପ୍ରଜାତିର ୨୦୮ଟି, ହମ୍ପବ୍ୟାକ୍‌ ସଉସା ଚାଇନିଜ ପ୍ରଜାତିର ୨୮୧ଟି, ବଟଲନୋଜ ପ୍ରଜାତିର ୫୨ଟି, ସ୍ପିନର ପ୍ରଜାତିର ୩ଟି ଡଲଫିନ ଗଣନା ବେଳେ ଦେଖିବାକୁ ମିଳିଛି।

ସେହିପରି କନିକା ରେଂଜର ଖୋଳାରୁ କଂଟିଆଖାଇ ମଧ୍ୟରେ ୪ଟି ଇରାୱାଡ଼ି ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥିବା ବେଳେ ରାଜନଗର ରେଂଜରେ ୨ଟି ଡଲଫିନ ରହିଛନ୍ତି। ଦୀର୍ଘ ବର୍ଷ ଧରି ଡଲଫିନଙ୍କ ଅନ୍ତୁଡିଶାଳ ଓଡିଶାରେ ଚିଲିକାକୁ ଗଣାଯାଉଥିଲା। କେବଳ ଚିଲିକାରେ ହିଁ ଡଲଫିନଙ୍କ ଗଣନା ହେଉଥିଲା। ୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତି କ୍ରମେ ଭିତରକନିକା, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ବର ଓ ବାରିପଦାରେ ଡଲଫିନ ଗଣନା କରାଯାଉଛି। ପ୍ରଥମ ବର୍ଷ ୭ଟି ସ୍ଥାନରେ ସମୁଦାୟ ୪୫୦ଟି ୭ ପ୍ରଜାତିର ଡଲଫିନ ଚିହ୍ନଟ ହୋଇଥିବା ବେଳେ କେବଳ ଭିତରକନିକାରେ ୬ ପ୍ରଜାତିର ୨୭୦ଟି ଡଲଫିନ ଦେଖିବାକୁ ମିଳିଥିଲା। ପରବର୍ତୀ ଅବସ୍ଥାରେ ୨୦୧୬ ରେ ମାତ୍ର ୧୯ଟି ୨୦୧୭ରେ ୮୨ଟି, ୨୦୧୮ରେ ୩୦୭ଟି, ୨୦୧୯ରେ ୧୧୨ଟି, ୨୦୨୦ରେ ୬୨ଟି ଓ ୨୦୨୧ରେ ୩୪୨ଟି ଡଲଫିନ ଚିହ୍ନଟ ହୋଇଥିଲା। ପ୍ରତିବର୍ଷ ଜାନୁଆରିରେ ଡଲଫିନ ଗଣନା କରାଯାଇଥାଏ। ପାଗର ପ୍ରତିକୂଳ ଓ ଅତ୍ୟଧିକ କୁହୁଡି ଯୋଗୁଁ ଅଧିକାଂଶ ବର୍ଷ ଡଲଫିନ ଗଣନା ବାଧାପ୍ରାପ୍ତ ହୋଇଥିଲା। ସେଥିପାଇଁ ମାତ୍ର ୨୦୨୨ରୁ ଡିସେମ୍ବରରେ ଡଲଫିନ ଗଣନା କରାଯାଉଛି। ୨୦୨୨ରେ ସାରା ଓଡିଶାରେ ୭୨୬ଟି ଡଲଫିନ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୪୦ଟି ଚିହ୍ନଟ ହୋଇଥିଲା। ଗତବର୍ଷ ଅପେକ୍ଷା ସାରା ଓଡିଶାରେ ୩ଟି କମିଥିବା ବେଳେ ଭିତରକନିକା ଓ ଗହୀରମଥାରେ ଗତବର୍ଷ ଅପେକ୍ଷା ୧୦ଟି ଡଲଫିନ ଅଧିକ ଚିହ୍ନଟ ହୋଇଛନ୍ତି।

Related Posts