ନୀଚ୍ଚକୁ ଗଲାଣି ଉଚ୍ଚଶିକ୍ଷା: ୧୫୬୭୦ରୁ ୭୭୪୯ ପଦ ଖାଲି

ଭୁବନେଶ୍ବର: କଥା କଥାକେ ସଂସ୍କାରର କଥା କହୁଥିବା ଉଚ୍ଚଶିକ୍ଷା ବିଭାଗର ପ୍ରକୃତ ରୂପ ପଦାରେ ପଡ଼ିଛି । ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟ, ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦ ମଧ୍ୟରୁ ଅଧା ପଦ ଖାଲି ପଡ଼ିଛି । ଏକଥା ଆମେ କହୁନାହୁଁ ବରଂ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ବିଧାନସଭା ଷ୍ଟାଣ୍ଡିଂ କମିଟିର ୪ର୍ଥ ବୈଠକ ପାଇଁ ସ୍ବୟଂ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପ୍ରସ୍ତୁତ ତଥ୍ୟ କହୁଛି ।

ଉଚ୍ଚଶିକ୍ଷା ବିଭାଗ ଚିଠି ସଂଖ୍ୟା ୨୫୧୦ ତା-୧୬/୦୧/୨୦୨୦ ଅନୁସାରେ ଉପଲବ୍ଧ ତଥ୍ୟ ଜାଣିବା ପରେ ଆମ ରାଜ୍ୟର ଉଚ୍ଚଶିକ୍ଷା କିଭଳି ଚାଲିଛି ତାହା ସହଜରେ ବୁଝା ପଡୁଛି । ସୂଚନା ଅନୁସାରେ ଆମ ରାଜ୍ୟରେ ସମସ୍ତ ବିଶ୍ବବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ଏବଂ ବେସରକାରୀ ମହାବିଦ୍ୟାଳୟରେ ସର୍ବମୋଟ ୧୫୬୭୦ଟି ମଞ୍ଜୁରିପ୍ରାପ୍ତ ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୭୭୪୯ଟି ପଦ ଖାଲି ପଡିଛି । ପରିସଂଖ୍ୟାନ କହୁଛି ପ୍ରାୟତଃ ଅଧା ପଦ ଖାଲି ପଡିଛି । ବର୍ଷ ବର୍ଷ ଧରି ଏହି ପଦ ସବୁ ଖାଲି ପଡିଥିଲେବି ତାହା ପୂରଣ ହୋଇପାରୁ ନାହିଁ । ଏହାକୁ ନେଇ ଅତୀତରେ ବିଧାନସଭାରେ ବହୁବାର ଆଲୋଚନା ହୋଇଛି ଏବଂ ସରକାର ଖୁବ୍ ଶୀଘ୍ର ଏହାର ନିରାକରଣ କଥା କହୁଥିବା ବେଳେ ଏ ତଥ୍ୟ କିନ୍ତୁ ବିଭାଗର ନଗ୍ନ ରୂପକୁ ପଦାରେ ପକାଇ ଦେଇଛି ।

ପଞ୍ଚମ ପାଳିର ସରକାର ଆସିବା ପରେ କଥା କଥାକେ ବିଭାଗରେ ସଂସ୍କାର ଆଣିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । କେତବେଳେ ଅଧ୍ୟାପକ-କର୍ମଚାରୀଙ୍କ ବାଧ୍ୟତାମୂଳକ ବାୟୋମ୍ୟାଟ୍ରିକ ଉପସ୍ଥାନ ତ ପୁଣି କେତବେଳେ ୭ ଘଣ୍ଟାର ରହଣୀ ପରି ନିୟମ ଲାଗୁ କରାଯାଉଛି । ଶିକ୍ଷାର ଗୁଣାତ୍ମକ ବିକାଶକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ କରିଥିବା ବେଳେ ଦୃର୍ବଳ ଛାତ୍ରଛାତ୍ରୀଙ୍କୁ ଛୁଟି ଦିନରେ ଅତିରିକ୍ତ କ୍ଲାସ କରିବା ପରି ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ଯେଉଁ ମୂଳ ବିଷୟ ଉପରେ ଗୁଣାତ୍ମକ ଶିକ୍ଷା ବାସ୍ତବରେ ନିର୍ଭର କରୁଛି ସେ ଦିଗ ପ୍ରତି ବିଭାଗ ଆଖି ବୁଜି ଦେଇଛି ।

ରାଜ୍ୟରେ ଥିବା ୧୧ଟି ବିଶ୍ବବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୪୨୪ଟି ଶିକ୍ଷକ ଓ ୨୭୫୯ଟି ଅଣଶିକ୍ଷକ ପଦରୁ ଯଥାକ୍ରମେ ୮୩୮ଟି ଶିକ୍ଷକ ଓ ୧୫୬୬ଟି ଅଣଶିକ୍ଷକ ପଦ ଖାଲି ପଡିଛି । ସେହିପରି ସରକାରୀ ଡିଗ୍ରୀ କଲେଜରେ ଥିବା ମଞ୍ଜୁରିପ୍ରାପ୍ତ ୨୩୦୬ ଶିକ୍ଷକ ଓ ୨୬୮୨ଟି ଅଣଶିକ୍ଷକ ପଦରୁ ଯଥାକ୍ରମେ ୧୧୫୬ଟି ଶିକ୍ଷକ ଓ ୧୫୬୨ଟି ଅଣଶିକ୍ଷକ ପଦ ଖାଲି ରହିଛି । ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ଥିବା ମଞ୍ଜୁରିପ୍ରାପ୍ତ ୬୪୯୯ଟି ଶିକ୍ଷକ ପଦରୁ ୨୦୮୦ଟି ଖାଲି ପଡିଥିବା ବେଳେ ୫୪୭ଟି ଅଣ ଶିକ୍ଷକ ପଦ ଖାଲି ପଡ଼ିଛି ।

ଆଶ୍ଚର୍ଯ୍ୟର କଥା ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ୧୬୬ଟି ବରିଷ୍ଠ କିରାଣୀ, ୧୧୩ଟି କନିଷ୍ଠ କିରାଣୀ ଏବଂ ୬୮ଟି ମୂଖ୍ୟ କିରାଣୀ ପଦ ମଧ୍ୟ ଖାଲି ରହିଛି । ସରକାରୀ କଲେଜରେ ଏହି ଖାଲି ପଡିଥିବା ପଦ ମାନଙ୍କରେ ନିଯୁକ୍ତିର ବ୍ୟବସ୍ଥା ଥିବାବେଳେ ବେସରକାରୀ କଲେଜରେ ତାହା ନାହିଁ, ଫଳସ୍ବରୂପ ବର୍ଷ ବର୍ଷ ଧରି ଏହି ପଦଗୁଡିକ ଖାଲିପଡୁଛି । ଏଭଳି ସ୍ଥିତିରେ ସରକାରଙ୍କ ଗୁଣାତ୍ମକ ଶିକ୍ଷାର ସ୍ବପ୍ନ ଦେଖିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଅଧା ପଦବୀ ଖାଲିଥିବା ବେଳେ ବେସରକାରୀ କଲେଜରେ କାର୍ଯ୍ୟରତ କର୍ମଚାରୀ ମାନଙ୍କରେ ଦୁଇ ତୃତୀୟାଂଶ ଶିକ୍ଷକ-କର୍ମଚାରୀ ବିନା ଚାକିରୀ ସର୍ତ୍ତାବଳୀରେ କାର୍ଯ୍ୟ କରିଆସୁଛନ୍ତି । ନିଜର ନାର୍ଯ୍ୟ ଦାବିକୁ ନେଇ ବାରମ୍ବାର ସରକାରଙ୍କ ନିକଟରେ ଦାବି କରିଆସୁଥିଲେବି ସରକାର କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି ତା’ହେଲେ ଏ ସଂସ୍କାରର ଫାର୍ସ କ’ଣ ପାଇଁ ? ଯେଉଁ ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷକ ଅଧ୍ୟାପକ ଯୋଗାଇ ପାରୁନାହାନ୍ତି ସେଠାରେ ଗୁଣାତ୍ମକ ଶିକ୍ଷା ଆଶାକରିବା ପ୍ରକୃତରେ ବୃଥା ଆସ୍ଫାଳନ ବୋଲି ବୁଝିବାକୁ ପଡିବ । ଶୁଣାଯାଉଛି ଖୁବ୍ ଶିଘ୍ର ଉଚ୍ଚଶିକ୍ଷା ବିଭାଗ ସରକାରଙ୍କ 5-T ଅଧିନକୁ ଯାଉଛି । ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ସରକାର ଖସଡ଼ା ପ୍ରସ୍ତତ କରିସାରିଛନ୍ତି, କିନ୍ତୁ ସରକାରଙ୍କ ଏହି ତଥ୍ୟ ଜାଣିସାରିବା ପରେ କୁହାଯାଇ ପାରେ ଯେ ଏହା ସଂସ୍କାର ନାଁରେ କେବଳ ପ୍ରଚାର ମାତ୍ର ।

Related Posts