ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ପ୍ରମିଳା ମଲ୍ଲିକ | ସେ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରୁ, 6 ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ବେଳେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ପୂର୍ବରୁ କାର୍ଯ୍ୟ କରିଛନ୍ତି | ସଂସଦରେ କେନ୍ଦ୍ରର ମୋଦି ସରକାର ମହିଳା ସଂରକ୍ଷଣ ବିଲ ପାରିତ କରାଇଥିବା ବେଳେ ଏହାକୁ କାଉଣ୍ଟର କରିବାକୁ ଜଣେ ମହିଳାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ବାଚସ୍ପତି କରାଯାଇଥିବା କୁହାଯାଉଛି |
ହେଲେ ସୂଚନା ଅନୁସରେ 84 ବର୍ଷ ପୂର୍ବରୁ ଜଣେ ମହିଳା ପ୍ରଥମ ଥର ପାଇଁ ଓଡିଶା ବିଧାନସଭାର ବାଚସ୍ପତି ଆସନରେ ବସିଥିଲେ | ସେ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ସାରଳା ଦେବୀ | 1904 ମସିହାରେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ନରିଲୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସାରଳା ଦେବୀ | 1936 ମସିହା ଏପ୍ରିଲ 1 ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ 1937 ମସିହାରେ ପ୍ରଥମ ଥର ପାଇଁ ସାରଳା ଦେବୀ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ | ଆଉ ସେ ଥିଲେ ଓଡ଼ିଶାର ପ୍ରଥମ ମହିଳା ବିଧାୟିକା | 1939 ମସିହା ମାର୍ଚ୍ଚ 24 ତାରିଖରେ ଗୋଟିଏ ଦିନ ପାଇଁ ସାରଳା ଦେବୀ ଓଡିଶା ବିଧାନସଭାର ବାଚସ୍ପତି ଭାବେ ଦାଇତ୍ୱ ତୁଲାଇଥିଲେ |
ଏହା ବ୍ୟତୀତ ସେ ଓଡିଶାରୁ ପ୍ରଥମ ମହିଳା ଭାବେ କଂଗ୍ରେସରେ ଯୋଗ ଦେଇଥିଲେ | ଏହା ସହିତ ପ୍ରଥମ ମହିଳା ଭାବେ କଟକ କୋପରେଟିଭ ବ୍ୟାଙ୍କର ଡ଼ାଇରେକ୍ଟର ଓ ଉତ୍କଳ ବିଶ୍ୱବିଦ୍ୟାଳୟୟର ସିନେଟ ମେମ୍ବର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ସାରଳା ଦେବୀ | ତେବେ ସ୍ୱାଧୀନତା ପରେ ସେ କଂଗ୍ରେସ ଦଳର କାର୍ଯ୍ୟଶୈଳୀରେ ଅସନ୍ତୋଷ ବ୍ୟକ୍ତ କରି ପ୍ରଜା ସୋସାଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ | 1986 ମସିହାରେ ସାରଳା ଦେବୀ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସାଧାରଣ ଜୀବନରେ ସକ୍ରିୟ ରହିଥିଲେ |





