ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟନ କରିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏସ ପି ସିଂହ ବାଘେଲ ମଧ୍ୟ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ। ଏହାଫଳରେ ଦୀର୍ଘ ଦୁଇ ଦଶନ୍ଧି ଧରି କଳାହାଣ୍ଡିବାସୀଙ୍କ ସ୍ବପ୍ନ ପୂରଣ ହୋଇଛି। ୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟରେ ନାମଲେଖା ପାଇଁ ନେସନାଲ୍ ମେଡିକାଲ୍ କାଉନସିଲ୍ ଠାରୁ ଅନୁମତି ମିଳିଛି।
ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି। ଆଜିର ଉଦଘାଟନୀ ଉତ୍ସବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ।





