ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆୟକର ବିଭାଗ ମଦ ବ୍ୟବସାୟୀଙ୍କ ଠାରୁ ଜବତ କରିଥିବା ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିବା ଘଟଣାରେ ବିଜେପି ଆଜି ବିଜେଡ଼ିକୁ ଟାର୍ଗେଟ କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି ଯେ ଏହା ମଦ ବ୍ୟବସାୟୀଙ୍କ ଟଙ୍କା ନା ଦଳୀୟ ପାଣ୍ଠି ? ଏନେଇ ବିଜେଡ଼ି ସ୍ପଷ୍ଟୀକରଣ ଦେବା ଉଚିତ । ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡ଼ି ବାଣ୍ଟିଥାନ୍ତା ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ଦାବି କଲେ ବିଜେପି ରାଜ୍ୟ ସଭାପତି । ରାଜ୍ୟ ସରକାରଙ୍କ ଇଓଡବ୍ଲ୍ୟୁ, କ୍ରାଇମ ବ୍ରାଞ୍ଚ, ଭିଜିଲାନ୍ସ ଯଦି ଧରିଥାନ୍ତା, ଆଇଟି କାହିଁକି ରେଡ କରିଥାନ୍ତା ? ଛୋଟ ଛୋଟ କିରାଣୀ, ପିଅନଙ୍କୁ ଧରି ସରକାର ବାଃ ବାଃ ନେଉଛନ୍ତି ହେଲେ ଏତେ ତାଙ୍କ ଗଛିତ ଥିଲା ଜାଣିପାରିଲେ ନାହିଁ କିଭଳି | ଏ ସରକାରର ଆଖି, କାନ ଅଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି | ସେଵା ଆହୁରି ପ୍ରଶ୍ନ କରିଛନ୍ତି ଯେ, ସରକାରଙ୍କ ପ୍ରଛନ୍ନ ହାତ ନଥିଲେ ମଦ ବ୍ୟବସାୟୀ ୩୫୦ କୋଟିରୁ ଅଧିକ ଟଙ୍କା ରଖିବାର ସୁଯୋଗ କେଉଁଠୁ ମିଳିବ ? ଧରା ପଡ଼ିବା ପରେ ଏବେ ବିଜେଡି ବଞ୍ଚିବା ପାଇଁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।





