ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପୂର୍ବରୁ ନିଗମ ଓ ବୋର୍ଡର ହେବ ନିଯୁକ୍ତି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ଏହା ସହ ଜୁନ ୧୨ରେ ବିଜେପି ସରକାରକୁ ୨ ବର୍ଷ ପୂର୍ତ୍ତି ହେବ। ଏହା ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ଶେଷ ହେବ। ଖାଲି ପଡ଼ିଥିବା ନିଗମ ଓ ବୋର୍ଡରେ ନିଯୁକ୍ତି ହେବ। ରାଜ୍ୟର ୨୯ ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, ଖାଲି ଖୋର୍ଦ୍ଧାରେ ବାକି ଅଛି। ଖୁବଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି କରାଯିବ। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ। ଯେତେବେଳେ ଲାଗିବ ସମ୍ପ୍ରସାରଣ ହେବା ଦରକାର, ସେତେବେଳେ ହେବ। ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲୁ, ସେଥିରୁ ୮୦ ପ୍ରତିଶତ ସାରିଛୁ। ବାକି ଥିବା କାମ ୨ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ ବୋଲି କହିଛନ୍ତି । ସେପଟେ ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, ଆସାମ ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶାକୁ ୩୬ଟି ବିଧାନସଭା ଦାୟିତ୍ୱ ଦିଆଯାଇଥିଲା। ବେଙ୍ଗଲକୁ ଲାଗିଥିବା ଜିଲ୍ଲାମାନଙ୍କୁ ଆମର ଅଧିକା କାର୍ଯ୍ୟକର୍ତ୍ତା ଯାଇଥିଲେ। ପ୍ରତି ବିଧାନସଭା ପାଇଁ ଜଣେ କି ଦୁଇ ଜଣ କାର୍ଯ୍ୟକର୍ତ୍ତା ଯାଇଥିଲେ। ବେଙ୍ଗଲ ନିର୍ବାଚନ ବର୍ତ୍ତମାନ ସାଧାରଣ ଲୋକଙ୍କ ନିର୍ବାଚନ ହୋଇଯାଇଛି।
