ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଏହା ମଧ୍ୟରେ ମୋଟ ୧,୪୪୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ବେଳେ ୭ ଜିଲାର ୪୦ ହଜାରରୁ ଊର୍ଦ୍ଧ୍ୱ ବୁଥ୍ରେ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସେପଟେ ଭୋଟ ଗ୍ରହଣ ଶେଷ ପରେ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ବୁଧବାର ସନ୍ଧ୍ୟା ସାଢେ ୬ଟାରେ ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀ ଏବଂ ପଞ୍ଚମବଙ୍ଗରେ ଏକଜିଟ ପୋଲ ଫଳାଫଳ ପ୍ରକାଶ କରାଯାଇପାରିବ। ଫଳରେ ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀ, ପଞ୍ଚିମବଙ୍ଗରେ କିଏ ସରକାର ଗଠନ କରିବ ସେନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯିବ। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟରେ ରେକର୍ଡ 93.2 ପ୍ରତିଶତ ଭୋଟର ମତଦାନ କରିଛି। ତାମିଲନାଡୁରେ 85.1 ପ୍ରତିଶତ ଭୋଟଦାନ ରେକର୍ଡ ହୋଇଛି। ଆସାମର ସମସ୍ତ 126ଟି ଆସନରେ ମତଦାନ ସମାପ୍ତ ହୋଇଛି, ଯେଉଁଥିରେ 85.5 ପ୍ରତିଶତ ମତଦାନ ହୋଇଛି। କେରଳରେ ୧୪୦ଟି ଆସନରେ ମତଦାନ ହୋଇଥିଲା, ଯେଉଁଥିରେ ୭୫ରୁ ୭୮ ପ୍ରତିଶତ ମଧ୍ୟରେ ମତଦାନ ହୋଇଥିଲା। ପୁଡୁଚେରୀରେ ୮୯.୮୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଯାହା ଏପର୍ଯ୍ୟନ୍ତ ସର୍ବାଧିକ ମତଦାନ। ଏହି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମତଦାନ ୪ ମଇରେ ଗଣନା କରାଯିବ।
