ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ରାଜନୀତିରେ ନୂଆ ଅଧ୍ୟାୟର ସଙ୍କେତ ଦେଲେ ଅଭିନେତାରୁ ରାଜନେତା ହୋଇଥିବା ବିଜୟ। ଗତକାଲି ଶପଥ ଗ୍ରହଣ ଅବସରରେ ପାରମ୍ପରିକ ଧଳା ଶର୍ଟ ଓ ଭେଷ୍ଟି (ଧୋତି) ପିନ୍ଧିବା ପରିବର୍ତ୍ତେ କଳା ରଙ୍ଗର ଡ୍ୟାପର୍ ସୁଟ୍ ପିନ୍ଧି ସେ ସମସ୍ତଙ୍କ ନଜର ଆକର୍ଷଣ କରିଥିଲେ। ବିଜୟ ହେଉଛନ୍ତି ତାମିଲନାଡୁର ପ୍ରଥମ ଅଣ-ଦ୍ରାବିଡ଼ ମୁଖ୍ୟମନ୍ତ୍ରୀ। ପୂର୍ବରୁ ତାମିଲନାଡୁର ସମସ୍ତ ମୁଖ୍ୟମନ୍ତ୍ରୀ ପାରମ୍ପରିକ ଧଳା ଶର୍ଟ ଓ ଭେଷ୍ଟି (ଧୋତି) ପିନ୍ଧି ଶପଥ ନେବାର ନଜିର ରହିଛି। ହେଲେ ବିଜୟ ଏହି ଟ୍ରେଣ୍ଡକୁ ଭାଙ୍ଗିଛନ୍ତି।

ତାମିଲନାଡୁର ପାରମ୍ପରିକ ରାଜନୈତିକ ଛବିଠାରୁ ଅଲଗା ଦେଖାଯାଇଥିବା ବିଜୟଙ୍କ ଏହି ଲୁକ୍‌କୁ ନେଇ ରାଜନୈତିକ ଓ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ବହୁ ରାଜନୈତିକ ବିଶ୍ଳେଷକଙ୍କ ମତରେ, ବିଜୟଙ୍କ ଏହି ଡ୍ରେସିଂ ଷ୍ଟାଇଲ୍ “ପରିବର୍ତ୍ତନର ରାଜନୀତି”ର ସନ୍ଦେଶ ଦେଇଛି।

ବିଜୟଙ୍କ ଦଳ TVK ନିଜକୁ ପାରମ୍ପରିକ DMK-AIADMK ରାଜନୀତିରୁ ଅଲଗା ଭାବେ ପ୍ରସ୍ତୁତ କରୁଥିବା ବେଳେ, ବିଜୟଙ୍କ ଏହି ଆଧୁନିକ ଲୁକ୍‌କୁ ସେହି ରଣନୀତିର ଅଂଶ ବୋଲି ମଧ୍ୟ ଦେଖାଯାଉଛି। ଶପଥ ଗ୍ରହଣ ଉତ୍ସବର ଭବ୍ୟ ଆୟୋଜନ ଓ ସିନେମାଟିକ୍ ଷ୍ଟାଇଲ୍‌ ମଧ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ହୋଇଥିଲା। ସମର୍ଥକମାନେ ବିଜୟଙ୍କୁ “ନୂଆ ଯୁଗର ନେତା” ବୋଲି ବର୍ଣ୍ଣନା କରୁଥିବା ବେଳେ ବିରୋଧୀ ଶିବିର ଏହାକୁ “ଇମେଜ୍‌ ପଲିଟିକ୍ସ” ବୋଲି କଟାକ୍ଷ କରିଛନ୍ତି।

ରାଜନୀତି ସହିତ ଫ୍ୟାଶନ୍‌ର ଏହି ମିଶ୍ରଣ ଏବେ ତାମିଲନାଡୁରେ ନୂଆ ଆଲୋଚନାର ବିଷୟ ପାଲଟିଛି।