ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ସାଇବର୍ ଅପରାଧ ଏବଂ ମହିଳା ଓ ଶିଶୁ ବିରୋଧୀ ସାଇବର୍ ଅପରାଧର ମୁକାବିଲା ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବ ‘ଓଡ଼ିଶା ସାଇବର୍ କମାଣ୍ଡ୍ ସେଣ୍ଟର’(ଓ୩ସି)। ଏହାର ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ୨୦୨୬-୨୭ରୁ ୨୦୨୯-୩୦ ମଧ୍ୟରେ ‘ଓ୩ସି’ କାର୍ଯ୍ୟକାରୀ ହେବ। ଗୃହ ବିଭାଗ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୪୯.୩୯ କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି। ଅର୍ଥ ବିଭାଗର ବ୍ୟୟ ଅର୍ଥ କମିଟି(ଇଏଫସି) ଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବକୁ ସୁପାରିସ୍ କରିଥିଲା।
‘ଓ୩ସି’ ବିଶେଷ ଭାବେ ସାଇବର ଅପରାଧର ପ୍ରତିରୋଧ, ଚିହ୍ନଟ, ତଦନ୍ତ ଓ ମୁକାବିଲା ପାଇଁ ପ୍ରତିଷ୍ଠା କରାଯିବ। ଏହି କମାଣ୍ଡ୍ ସେଣ୍ଟର ୪ଟି ପ୍ରମୁଖ ଅଂଶକୁ ନେଇ ଗଠିତ ହେବ। ସେଗୁଡ଼ିକ ହେଲା ସାଇବର୍ କ୍ରାଇମ୍ ମୁଖ୍ୟାଳୟ(ସିସିଏଚକ୍ୟୁ), ରାଜ୍ୟ ସାଇବର୍ କ୍ରାଇମ୍ ପୁଲିସ ଷ୍ଟେସନ୍, ସାଇବର୍ ରିସୋର୍ସ ସେଣ୍ଟର୍(ସିଆର୍ସି) ଏବଂ ଏଆଇ ଆଧାରିତ ପ୍ରେଡିକ୍ଟିଭ୍ ପୁଲିସିଂ ଓ ଡାଟା ଆନାଲିଟିକ୍ସ ସେଣ୍ଟର୍(ଏଆଇପିପିଡିଏସି)। ସାଇବର୍ ଅପରାଧ ତଦନ୍ତକୁ ଅଧିକ କ୍ରିୟାଶୀଳ କରିବା ସହ ନୂତନ ଧରଣର ସାଇବର ଠକେଇ ଓ ଅନଲାଇନ୍ ଅପରାଧର ମୁକାବିଲାରେ ଏହି ବ୍ୟବସ୍ଥା ସହାୟକ ହେବ। ବିଶେଷକରି ଏଆଇ ଆଧାରିତ ପୂର୍ବାନୁମାନମୂଳକ ପୁଲିସିଂ ଓ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ସାଇବର୍ ଅପରାଧ ଚିହ୍ନଟ ଏବଂ ତଦନ୍ତରେ ସହାୟତା ମିଳିବ। ଅପରପଟେ କମାଣ୍ଡ୍ ସେଣ୍ଟର୍ର ସାଂଗଠନିକ ଢାଞ୍ଚା, କାର୍ଯ୍ୟଦାୟିତ୍ୱ, କର୍ମଚାରୀ ନିୟୋଜନ, ଭିତ୍ତିଭୂମି ଓ କାର୍ଯ୍ୟକାରିତା ସମ୍ପର୍କିତ ବିସ୍ତୃତ ନିୟମାବଳୀ ଖୁବ୍ଶୀଘ୍ର ଗୃହ ବିଭାଗ ପକ୍ଷରୁ ପୃଥକ୍ ଭାବେ ଜାରି କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
