(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ କେବଳ ଗୋଟିଏ ମାତ୍ର ଜିଲ୍ଲା ହସ୍ପିଟାଲ ରହିଛି। ଜିଲ୍ଲା ଭିତରେ ଥିବା ଗୋଟିଏ ମାତ୍ର ହସ୍ପିଟାଲ ଉପରେ ଜିଲ୍ଲା ସମେତ ନିକଟବର୍ତ୍ତୀ ଛତିଶଗଡର ଲୋକେ ମଧ୍ୟ ନିର୍ଭର କରୁଛନ୍ତି। ତେବେ ଏହି ମେଡ଼ିକାଲରୁ କିନ୍ତୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦିଆଯାଉଥିବା ଔଷଧ ଅତି ନିମ୍ନମାନର ଏବଂ ଔଷଧ ଗୁଡିକ ଫିମ୍ପି ମାରିଯାଇଥିବା ଅଭିଯୋଗ ହୋଇଛି। ଫିମ୍ପି ମାରିଯାଇଥିବା ଔଷଧ ଖାଇ ଜଣେ ମହିଳା ଗୁରୁତର ହୋଇଯାଇଥିବା ଘଟଣା ଏବେ ପଦାକୁ ଆସିଛି। ମାଲାକନଗିରି ନିକଟସ୍ଥ ଏମଭି-୭ ଗ୍ରାମର ସୁଜିତ ମଣ୍ଡଳଙ୍କ ପତ୍ନୀ କାଳିଦାଶୀ ମଣ୍ଡଳ ଏଭଳି ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ କାଳିଦାଶୀ ମଣ୍ଡଳଙ୍କୁ ଖାସ ସଙ୍ଗେ ସଙ୍ଗେ ଛାତିରେ ଭୀଷଣ ଯନ୍ତ୍ରଣା ହେଉଥିଲା। ତେଣୁ ତାଙ୍କ ଭଉଣୀ ମୀନାରାଣୀ ମଣ୍ଡଳ ତୁରନ୍ତ ଭଉଣୀକୁ ନେଇ ଜିଲ୍ଲା ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ବାସନ୍ତୀ ହାଂସଦାଙ୍କୁ ଦେହ ଦେଖାଇଥିଲେ। ତେବେ ଡାକ୍ତର ବାସନ୍ତୀ ତାଙ୍କୁ ଡକ୍ସିଏଲଏକ୍ସ ନାମକ ମେଡିସିନ ଖାଇବା ପାଇଁ କହିଥିଲେ। ତା ପରେ ସେ ମେଡିକାଲରୁ ଏହି ଔଷଧ ନେଇଯାଇଥିଲେ। କିନ୍ତୁ ସେହି ଔଷଧ ଖାଇବା ପରେ କାଳିଦାଶୀ ଭଲ ହେବା ପରିବର୍ତ୍ତେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲେ। ତେବେ ଭଉଣୀ ମୀନାରାଣୀ ଏଭଳି କାହିଁକି ହେଲା ବୋଲି ଔଷଧକୁ ଯାଞ୍ଚ କରିଥିଲା। ଏହା ପରେ ଔଷଧ ପ୍ୟାକେଟ ଖୋଲିବାରୁ ଜଣାପଡିଲା ଯେ ସେଗୁଡ଼ିକ ଫିମ୍ପିମରା ଔଷଧ । ଯେତେ ସବୁ ଔଷଧ ପ୍ୟାକେଟ ଖୋଲିଥିବା ସବୁରେ ଏଭଳି ଅବସ୍ଥା ରହିଥିଲା। ତୁରନ୍ତ ସେହି ଔଷଧ ନେଇ ସେ ମେଡିକାଲ ଯାଇ ଏଡିଏମ୍‌ଓ ଶିବ ପ୍ରସାଦ ମହାରଣାଙ୍କୁ ଭେଟି ଥିଲେ। ଏଡିଏମ୍‌ଓ ମଧ୍ୟ ଔଷଧ ଖରାପ ଥିବା ଦେଖିଥିଲେ। ତେବେ ଏନେଇ ମେଡିକାଲର ଏଡିଏମ୍‌ଓ ଶିବ ପ୍ରସାଦ ମହାରଣାଙ୍କୁ ପଚାରିବାରୁ ସେ ଏହି ଔଷଧ ଗୁଡିକ କିପରି ସମୟସୀମା ପୂର୍ବରୁ ଖରାପ ହେଲା।

ଏ ଘଟଣାର ତଦନ୍ତ କରିବା ସଙ୍ଗେ ସଙ୍ଗେ ଏହାର ମାନ ନେଇ ପରୀକ୍ଷା କରିବା ପାଇଁ ସରକାରଙ୍କ ନିକଟକୁ ପଠାଇବେ ବୋଲି କହିଥିଲେ। ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ଅଭିଯୋଗ ଆସିଲେ ନିଶ୍ଚିତ ତଦନ୍ତ କରାଯିବ ବୋଲି କହିଥିଲେ। ତେବେ ପ୍ରଶ୍ନ ଉଠୁଛି ଯେ ଜିଲ୍ଲାର ହସ୍ପିଟାଲରେ ଯଦି ଏଭଳି ଅବ୍ୟବସ୍ଥା ତେବେ ଲୋକେ କେଉଁଠିକୁ ଯିବେ ? ଜିଲ୍ଲା ସାରା ଲୋକ ଏହି ଗୋଟିଏ ମାତ୍ର ହସ୍ପିଟାଲ ଉପରେ ଭରସା କରି ରହିଥିବା ବେଳେ ଜିଲ୍ଲା ହସ୍ପିଟାଲରେ ନିମ୍ନମାର ଔଷଧ ମିଳିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି।