(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ଜଗତସିଂହପୁର ଜିଲ୍ଲାର ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଗତକାଲି ଏସସିବି ଜରୁରୀକାଳୀନ ଅଧିକାରୀ ଦେଇଥିବା ସ୍ପଷ୍ଟୀକରଣକୁ ଦୋହରାଇଛନ୍ତି ଏସସିବି କର୍ତ୍ତୃପକ୍ଷ । ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଏସସିବି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏସସିବିର ୭ ଜଣିଆ ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ସରକାରଙ୍କୁ ଗତକାଲି ଏ ନେଇ ରିପୋର୍ଟ ପ୍ରଦାନ କରିଛନ୍ତି। ଏସସିବିର ତ୍ରୁଟିପୂର୍ଣ୍ଣ ଚିକିତ୍ସା ତଥା ଡାକ୍ତରଙ୍କ ଅବହେଳା ଯୋଗୁ ସେ ଆତ୍ମହତ୍ୟା କରୁଥିବା ଦୁଷ୍ମନ୍ତ ମୃତ୍ୟୁ ପୂର୍ବରୁ କହିଥିବା ବେଳେ ରିପୋର୍ଟରେ ମଧ୍ୟ ସମାନ କଥା ଦୋହରାଇଛନ୍ତି ।
ଏସସିବି ମେଡିକାଲ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ , ୨୦୨୦ ମସିହାରେ ଦୁଷ୍ମନ୍ତ ଦୁର୍ଘଟଣାର ଶିକାର ହୋଇ କଟକ ବଡ଼ ମେଡ଼ିକାଲ ଆସିଥିଲେ । ତାଙ୍କୁ ପ୍ରଥମେ ଅର୍ଥୋପେଡିକ ବିଭାଗ ଏବଂ ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଅପରେସନ କରାଯାଇଥିଲା । ଡାକ୍ତରମାନଙ୍କ ସଫଳ ଉଦ୍ୟମରେ ତାଙ୍କର ଗୋଟିଏ ଗୋଡ କଟା ଯାଇଥିଲା । ତେବେ ତାଙ୍କ ଗୋଡର ନର୍ଭ ନଷ୍ଟହୋଇ ଯାଇଥିବାରୁ ତାଙ୍କୁ ଫିଜିଓଥୋରାପି କରିବା ଓ ସ୍ୱତନ୍ତ୍ର ଅର୍ଥୋପେଡିକ ଜୋତା ପିନ୍ଧିବାକୁ ପରାମର୍ଶ ଦିଆଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏସିସିବି ଦେଇଥିବା ରିପୋର୍ଟରେ କୁହାଯାଇଛି ଯେ, ଦୁଷ୍ମନ୍ତ ଚାହୁଁଥିଲେ ଯେ ଅପରେସନ ହୋଇଥିବା ଗୋଡ଼ଟି ଅନ୍ୟ ଗୋଡ଼ ଭଳି ସ୍ୱାଭାବିକ ହେଇଯାଉ କିନ୍ତୁ ତାହା ଅସମ୍ଭବ ଥିଲା ।ତେଣୁ ତାଙ୍କୁ ମାନସିକ ବିଭାଗକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଦୁଷ୍ମନ୍ତ ସେମିତି କରିନଥିଲେ । ତାଙ୍କୁ ମେଡିକାଲ ତରଫରୁ ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯାଇଥିବା କୁହାଯାଇଛି। ଦୁଷ୍ମନ୍ତ ଉନ୍ନତ ମାନର ଚିକିତ୍ସା ପାଇଁ ନିଜେ ଇଛା ପ୍ରକାଶ କରିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ଗତ ୬ ତାରିଖରେ ରେଫର କରାଯାଇଥିଲା ବୋଲି ଏସିସିବି ରିପୋର୍ଟରେ କୁହାଯାଇଛି ।
ସୂଚନାଯୋଗ୍ୟ ଯେ , ଗତ ବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଦୁଇ ଥର ଅପରେସନ୍ କରାଯାଇଥିଲା। ତେବେ କରୋନା ଆଳରେ ୨୦୨୦ ଜୁଲାଇ ୧୫ ତାରିଖରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ ପରଠାରୁ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ପାଇଁ ସେ ଦୁଇଟି ଘରୋଇ ହସ୍ପିଟାଲ୍କୁ ଯାଇଥିଲେ ମଧ୍ୟ ସେହି ହସ୍ପିଟାଲ୍ ଗୁଡ଼ିକ ମନା କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ ଲଗାଇବା ପରେ ନିରାଶ ହୋଇ ସେ ବୁଧବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହିଦିନ ରାତି ୧୨ଟାରେ ସ୍ୱତନ୍ତ୍ର ଭାବେ ଜଣେ ମାଜିଷ୍ଟ୍ରେଟ, ଡାକ୍ତରଙ୍କୁ ଡକାଯାଇ ଶବ ବ୍ୟବଚ୍ଛେଦ କରାଗଲା । ଶବ ବ୍ୟବଚ୍ଛେଦ ପରେ ବାଲିକୁଦା ଓ କୁଜଙ୍ଗ ଥାନା ପୋଲିସର ସଶସ୍ତ୍ର ବାହିନୀ ଏସକର୍ଟ କରି ତାଙ୍କ ଶବକୁ ସିଂହଦ୍ୱାର ନିଆଯାଇ ସତ୍କାର କରାଯାଇଥିଲା।
ଅପରପକ୍ଷରେ ମୃତ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ କୁଜଙ୍ଗ ବଡ଼ପାଳରେ ଭେଟିଛନ୍ତି ସ୍ଥାନୀୟ ବିଡିଓ। ତାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ଦେବା ସହ ଆଉ ୧୦ ଲକ୍ଷ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ସୂଚନା ରହିଛି।
