ରାଜ୍ୟରେ ଜାରି ରହିଛି ଅଦିନିଆ ବର୍ଷା । ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ଘଡଘଡି ବିଜୁଳି ସହିତ ବର୍ଷା ଜାରି ରହିଛି । ଭିଜୁଛି ଉପାନ୍ତରୁ ଉପକୂଳ । ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଚଡକ ପକାଇଛି । ବର୍ତ୍ତମାନ ସମୟ ଅମଳର, ଆଉ ଅମଳ ସମୟରେ ଏପରି ଅଦିନିଆ ବର୍ଷା ହେବା ଫଳରେ ଚାଷୀ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି ।
ତେବେ ଏହି ଅଦିନିଆ ବର୍ଷା ଆସନ୍ତା ଦୁଇ ଦିନ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେତେକ ସ୍ଥାନରେ କୁଆପଥର ପଡିବା ସହିତ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବାୟୁମଣ୍ଡଳର ମଧ୍ୟ ଏବଂ ଉପର ସ୍ତରର ପଶ୍ଚିମା-ବାୟୁ ଏବଂ ନିମ୍ନ ଭାଗର ପୂର୍ବାଳୀ ବାୟୁ ସହ ସଂସ୍ପର୍ଶ ରେ ଆସିବା ଯୋଗୁ, ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣବାୟୁ ପ୍ରଭାବରେ, ଆଜି କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ କୁଆପଥର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳବର୍ଷାର ସମ୍ଭାବନା ରହିଛି |
ଆଜି ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ଘଡଘଡି ବିଜୁଳି ସହିତ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ସଚେତନ ସହ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।





