ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଙ୍ଗାଲୋରର ମାଛ ପ୍ରକ୍ରିୟାକରଣ କାରଖାନାରେ ଅଘଟଣ । ମାଙ୍ଗାଲୁରୁ ପୁଲିସ କମିଶନର ଏନ ଶଶି କୁମାର ଏହି ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚ ଜଣ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବାବେଳେ ଏନ ଶଶି କୁମାର କହିଛନ୍ତି ଯେ ଏହି ଘଟଣା ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଟିଛି । ମାଙ୍ଗାଲୁରୁ ସ୍ପେଶାଲ ଇକୋନୋମିକ୍ ଜୋନର ଏକ ମାଛ ପ୍ରକ୍ରିୟାକରଣ ୟୁନିଟରେ ଏହି ଘଟଣା ଘଟିଛି। ପୁଲିସ କମିଶନର କହିଛନ୍ତି, “ପଶ୍ଚିମବଙ୍ଗର ଏହି ଶ୍ରମିକମାନଙ୍କ ମଧ୍ୟରୁ ଜଣେ ବର୍ଜ୍ୟବସ୍ତୁ ସଂଗ୍ରହ ଟାଙ୍କି ଭିତରେ ପଡ଼ିଯାଇଥିଲେ ଏବଂ ଭିତରେ ଚେତାଶୂନ୍ୟ ହୋଇଯାଇଥିଲେ। ଅନ୍ୟ ୭ଜଣ ଶ୍ରମିକ ତାଙ୍କୁ ବଞ୍ଚାଇବା ପାଇଁ ଟାଙ୍କିରେ ପ୍ରବେଶ କରିଥିଲେ ଏବଂ ସେମାନେ ମଧ୍ୟ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଗତକାଲି ରାତିରେ ତିନିଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଆଜି ସକାଳେ ଆଇସିୟୁରେ ଆଉ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି । ଏବେ ବି ଦୁଇ ଜଣ ଶ୍ରମିକଙ୍କର ଅବସ୍ଥା ଗୁରୁତର ରହିଛି । ଏନ ଶଶି କୁମାର କହିଛନ୍ତି, “ଆମେ ଭାରତୀୟ ଦଣ୍ଡସଂହିତାର ଧାରା ୩୦୪ ଅନୁଯାୟୀ ଉକ୍ତ ମାଛ ପ୍ରୋସେସିଂ ୟୁନିଟର ମ୍ୟାନେଜର ତଥା ସୁପରଭାଇଜରଙ୍କ ବିରୋଧରେ ମାମଲା ରୁଜୁ କରିଛୁ। ସେମାନଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
