ଆପଣ କେଉଁ ଧର୍ମରେ ବିଶ୍ୱାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ହେଲେ କୌଣସି ନିର୍ଦ୍ଦୋଷକୁ ହତ୍ୟା କରିବା ହେଉଛି ମାନବିକତାର ହତ୍ୟା: ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନର ଉଦୟପୁରରେ ହୋଇଥିବା ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଏପରି ଘଟଣାକୁ ସାରା ଦେଶରେ ବିରୋଧ କରିବା ସହ ଅନେକ ଏହାକୁ ନିନ୍ଦା କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ମଧ୍ୟ ଘୋର ନିନ୍ଦା କରିଛନ୍ତି । ତେବେ କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଟ୍ୱିଟ କରି ଇରଫାନ୍ କହିଛନ୍ତି ଯେ, ‘ ଆପଣ କେଉଁ ଧର୍ମରେ ବିଶ୍ୱାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କିନ୍ତୁ କୌଣସି ନିର୍ଦ୍ଦୋଷକୁ ହତ୍ୟା କରିବା ବାସ୍ତବରେ ମାନବିକତାର ହତ୍ୟା’ । ଇରଫାନଙ୍କ ଏହି ଟ୍ୱଟକୁ ସମର୍ଥନ ଜଣାଇଛନ୍ତି ହଜାର ହଜାର ୟୁଜର୍ସ । ଆଉ ଜଣେ ୟୁଜର୍ସ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ, ‘ଇରଫାନ୍ ସିଧାସଳଖ ଏହି କଥା ନିଜ ସମ୍ପ୍ରଦାୟକୁ ବୁଝାଇବାକୁ ଚେଷ୍ଟା କରନ୍ତୁ’ ।

ସେପଟେ ରାଜସ୍ଥାନ ଉଦୟପୁରରେ ଦିନ ଦିପହରରେ ଜଣେ ହିନ୍ଦୁ ଟେଲରଙ୍କୁ ତାଙ୍କ ଦୋକନରେ ପଶି ନିର୍ମମ ଭାବେ ହତ୍ୟା କରିଛନ୍ତି ୩ ଜଣ ସଂଖ୍ୟାଲଘୁ ଯୁବକ । ସେମାନେ ଏହି ହତ୍ୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ଏଥିପାଇଁ ନିଜକୁ ଦାୟୀ ମଧ୍ୟ କରିଛନ୍ତି । ତେବେ ସେମାନଙ୍କୁ ଗିରଫ କରାଯିବା ପରେ ପୁରା ଇଲାକାରେ ୧୪୪ ଧାରା ଲାଗୁ ହେବା ସହ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୁହାଯାଉଛି ମୃତ କହ୍ନେୟାଲାଲଙ୍କ ୮ ବର୍ଷର ପୁଅ ନୂପୁର ଶର୍ମାଙ୍କ ବିବାଦୀୟ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ତାଙ୍କ ବାପା ଅର୍ଥାତ୍ କହ୍ନେୟାଲାଲଙ୍କୁ ହତ୍ୟା କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts