ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପରେ ଆଜି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି । ଟସ ଜିତି ପ୍ରଥମେ ବୋଲିଂ କରି ଭାରତୀୟ ଟିମ ପାକିସ୍ତାନକୁ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନରେ ସୀମିତ ରଖିବାରେ ସଫଳ ହୋଇଛି । ବିଜୟ ପାଇଁ ଭାରତ ଆଗରେ ୧୬୦ ରନ ଲକ୍ଷ୍ୟ ରହିଛି।
ପାକିସ୍ତାନ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଛି ।
ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ପାକିସ୍ତାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଥିଲା। ଅଧିନାୟକ ବାବର ଆଜାମ ଖାତା ନ ଖୋଲି ପ୍ରଥମ ବଲରେ ଅର୍ଶଦୀପ ସିଂଙ୍କ ଶିକାର ହୋଇଥିଲେ। ଏହାପରେ ଇନଫର୍ମ ବ୍ୟାଟର ମହମ୍ମଦ ରିଜୱାନ ମଧ୍ୟ ୪ ରନ କରି ଫାଭିଲିଆନ ଫେରିଥିଲେ । ତେବେ ଏହାପରେ ମଧ୍ୟକ୍ରମରେ ସାନ ମସୁଦ ଏବଂ ଇଫତିଖାର ଅହମଦ ଟିମକୁ ସମ୍ଭାଳିଥିଲେ । ଦୁହେଁ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଇଫକିଖାର ୩୫ ବଲରୁ ୫୧ ରନ କରି ଆଉଟ ହୋଇଥିଲେ। ସେହିପରି ସାନ ମାସୁଦ ଅପରାଜିତ ୫୨ ରନ କରିଥିଲେ।
ଭାରତ ପକ୍ଷରୁ ଅର୍ଶଦୀପ ସିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ତିନୋଟି ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି। ସେହିପରି ଭୁବନେଶ୍ୱର କୁମାର ଏବଂ ମହମ୍ମଦ ଶାମି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।





