ମୁମ୍ବାଇ : ଗିରଫ ହେବେ ମହାରାଷ୍ଟ୍ର ଅମରାବତୀ ସାଂସଦ ନବନୀତ ରାଣା। ତାଙ୍କ ବିରୋଧରେ ମୁମ୍ବାଇ ଶିୱରି କୋର୍ଟ ଜାମିନ ବିହୀନ ଗିରଫ ପରୱାନା ( ଏନବିଡବ୍ଲୁ) ଜାରି କରିଛନ୍ତି। କୋର୍ଟ ମୁଲୁନ୍ଦ ପୋଲିସକୁ ଆଦେଶ ଦେଇ ୱାରେଣ୍ଟ ତାମିଲ କରିବାକୁ କହିଛନ୍ତି।
ସେପଟେ ଶିୱରୀ କୋର୍ଟଙ୍କ ଦ୍ୱାରା ଜାରି ଏନବିଡବ୍ଲୁ ନେଇ ନବନୀତଙ୍କର କୌଣସି ପ୍ରତିକ୍ରିୟା ଆସି ନାହିଁ।
ସୂଚନାଯୋଗ୍ୟ, ସାଂସଦ ନବନୀତ ରାଣା ନିର୍ବାଚନ ଲାଗି ଦାଖଲ କରିଥିବା ପ୍ରାର୍ଥୀପତ୍ରରେ ଯେଉଁ ଜାତି ପ୍ରମାଣପତ୍ର ଦେଇଛନ୍ତି ତାହା ନକଲୀ ବୋଲି ଅଭିଯୋଗ ହୋଇଛି।ଏହି ମାମଲାରେ ପୂର୍ବତନ ଶିବସେନା ସାଂସଦ ଆନନ୍ଦରାଓ ଅଡସୁଲ ଓ ସୁନୀଲ ଭାଲେରାଓ ବମ୍ବେ ହାଇକୋର୍ଟରେ ପୂର୍ବରୁ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣିରେ ହାଇକୋର୍ଟ ୨୦୨୧ରେ ନବନୀତ ରାଣାଙ୍କ ଜାତି ପ୍ରମାଣପତ୍ରକୁ ରଦ୍ଦ କରିଦେଇଥିଲେ। ଫଳରେ ନବନୀତଙ୍କ ଲୋକସଭା ସଦସ୍ୟତା ବିପଦରେ ପଡି ଯାଇଥିଲା।
ତେବେ ନବନୀତ ମୁମ୍ବାଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବା ଯୋଗୁ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିକୋର୍ଟ ରହିତାଦେଶ ଜାରି କରିଛନ୍ତି। ତେବେ ସାଂସଦ ନବନୀତ ରାଣାଙ୍କ ପରିବାର ଉପରେ ମଧ୍ୟ ନକଲୀ ଜାତି ପ୍ରମାଣପତ୍ରର ଗୁରୁତର ଅଭିଯୋଗ ରହିଛି। ନକଲୀ ଜାତି ପ୍ରମାଣପତ୍ର ହାସଲ ଲାଗି ନବନୀତଙ୍କ ପିତା ସ୍କୁଲ ଆଡମିସନର ମଧ୍ୟ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରିଥିଲେ। ତେବେ ନବନୀତ ରାଣାଙ୍କ ମାମଲାରେ ପୋଲିସର ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର।





