ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁମ୍ବାଇ ବିମାନବନ୍ଦରରୁ କଷ୍ଟମ ବିଭାଗ ଗୋଟିଏ ଦିନରେ ୩୨ କୋଟି ମୂଲ୍ୟର ୬୧ କିଲୋଗ୍ରାମ ସୁନା ଜବତ କରିଛି । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ ୨ ଜଣ ମହିଳା । ମୁମ୍ବାଇ କଷ୍ଟମ ବିଭାଗ ଇତିହାସରେ ବିମାନବନ୍ଦରରେ ଗୋଟିଏ ଦିନରେ ଏହା ସବୁଠାରୁ ବଡ ସଫଳତା ।

କଷ୍ଟମ ବିଭାଗର ସୂଚନାନୁସାରେ, ୪ ଜଣ ଭାରତୀୟ ଯାତ୍ରୀ ତାଞ୍ଜାନିଆରୁ ଆସିଥିଲେ, ସେମାନେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଅଣ୍ଟା ବେଲ୍ଟ ପକେଟରେ ସୁନା ଲୁଚାଇ ରଖିଥିଲେ । ଏହି ଚାରିଜଣଙ୍କ ଠାରୁ ମୋଟ ୫୩ କିଲୋଗ୍ରାମ ସୁନା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୮.୧୭ କୋଟି ଟଙ୍କା ହେବ । ସେହିପରି ବାକି ୮ କିଲୋ ସୁନା ଅନ୍ୟମାନଙ୍କ ଠାରୁ ଜବତ କରାଯାଇଛି । ତେବେ ୟୁଏଇରେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ବେଲ୍ଟରେ ସୁନା ବାରଗୁଡିକ ଲୁଚାଇ ରଖାଯାଇଥିଲା।

ଭାରତ ଆସିବା ସମୟରେ ଦୋହା ବିମାନବନ୍ଦରରେ ଜଣେ ସୁଡାନି ନାଗରିକ ଏହି ବେଲ୍ଟକୁ ହସ୍ତାନ୍ତର କରିଥିଲେ । ଦୋହାରୁ ଆସୁଥିବା ୪ ଜଣ ଭାରତୀୟ ଯାତ୍ରୀଙ୍କୁ କତର ଏୟାରୱେଜ୍ ବିମାନ ନମ୍ବର QR-556ରେ ଅଟକାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ସେମାନେ ତାଞ୍ଜାନିଆରୁ ଆସିଛନ୍ତି । ସୁନା ତାଙ୍କ ଦେହରେ ଏକ ସ୍ୱତନ୍ତ୍ର ଡିଜାଇନ୍ ହୋଇଥିବା ବେଲ୍ଟରେ ଲୁଚାଇ ରଖାଯାଇଥିଲା, ଯେଉଁଥିରେ ଅନେକ ପକେଟ ଥିଲା । ପଚରାଉଚରା ବେଳେ ଏହି ଚାରିଜଣ ଯାତ୍ରୀ ସ୍ୱୀକାର କରିଛନ୍ତି ଯେ ଦୋହା ବିମାନବନ୍ଦରରେ ଜଣେ ଅଜଣା ସୁଡ଼ାନି ନାଗରିକ ସେମାନଙ୍କୁ ସୁନା ହସ୍ତାନ୍ତର କରିଛନ୍ତି । ସେହି ଯାତ୍ରୀ ସେମାନଙ୍କ ସହିତ ଯାତ୍ରା କରିନଥିଲେ । ଏହି ଚାରିଜଣ ଯାତ୍ରୀଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ଯେଉଁଠାରୁ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି ।