ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ବିଦେଶୀ ପକ୍ଷୀମାନଙ୍କ କଳରବରେ ମୁଖରିତ ଭିତରକନିକା ଜାତୀୟ ଉଦ୍ୟାନ । ନୀଳ ଆକାଶରେ ଦଳ ଦଳ ହୋଇ ଉଡିବାର ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟ କୁ ଦ୍ଵିଗୁଣିତ କରିଛି । ଏହାରି ମଧ୍ୟରେ ଆଜିଠୁ ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ । ଗତବର୍ଷ ପକ୍ଷୀ ୧୪୪ ପ୍ରଜାତିର ମୋଟ ୧ଲକ୍ଷ ୩୮ହଜାର ୧୦୭ ଟି ପକ୍ଷୀ ଆସିଥିଲେ ।

ଚଳିତ ବର୍ଷ ପକ୍ଷୀ ଗଣନାରେ ଅଧିକ ପକ୍ଷୀ ଚିହ୍ନଟ କରାଯିବା ନେଇ ଆଶା ରଖିଛି ବନବିଭାଗ । ବିଦେଶାଗତ ପକ୍ଷୀ ଗଣନା ପାଇଁ ୧୭ଟି ଟିମ୍ ଗଠନ କରାଯାଇଥିବାବେଳେ ପ୍ରତି ଟିମ୍ ରେ ୪ ରୁ ୫ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଏହି ଗଣନା ପାଇଁ ଗତକାଲି ରାଜନଗର ବନଖଣ୍ଡ କାର୍ଯ୍ୟାଳୟରେ ପ୍ରାଣୀ ବିଜ୍ଞାନୀ ଡଃ ଶିବ ପ୍ରସାଦ ପରିଡା ଙ୍କ ନେତୃତ୍ୱରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ରାଜନଗର ବନଖଣ୍ଡ ର ୫ଟି ରେଞ୍ଜରେ ଗଣନା କରାଯାଉଛି । ଭିତରକନିକା,ଗହୀରମଥା ଖୋଳା, ସାତଭାୟା, ରାଜନଗର, ଚିଞ୍ଚିରି ମୁହାଣ, ଧାମରା ମୁହାଣ ଓ ପାରାଦୀପ ଆଦି ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରାଯାଉଛି ।