ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ସେ ହେଉଛନ୍ତି କିଶୋର ଚନ୍ଦ୍ର ନାୟକ। ସେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ତେବେ ରବିବାର ରାତି ପ୍ରାୟ ୯ଟା ବେଳେ ଶ୍ରୀ ନାୟକ ନିଜର ଏକ ବୁଲେଟ୍ ଯୋଗେ ରାୟଗଡ଼ା ସ୍ଥିତ ତାଙ୍କ ଭଡ଼ା ଘରକୁ ଫେରୁଥିବା ବେଳେ ଅରବିନ୍ଦ ସ୍କୁଲ୍ ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଟିମ୍‌।ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ବାହାରିଥିଲା। ଏକ କଳା ବ୍ୟାଗରେ ସେ ଏହି ଟଙ୍କା ରଖିଥିଲେ। ତେବେ ଏତେ ଟଙ୍କା ସେ କେଉଁଠୁ ଆଣିଲେ ଓ କାହିଁକି ଏହାର ଆବଶ୍ୟକତା ପଡ଼ିଲା ବୋଲି ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପଚାରିଥିଲେ, କିନ୍ତୁ ଶ୍ରୀ ନାୟକ ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

ଏହା ପରେ ଭିଜିଲାନ୍ସ ଟିମ୍ ମଙ୍ଗଳା ମନ୍ଦିର ନିକଟସ୍ଥ ତାଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲା। ସେଠାରେ ଯାଞ୍ଚ ବେଳେ ନଗଦ ୬ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା। ଅର୍ଥାତ୍ ଶ୍ରୀ ନାୟକଙ୍କ ଠାରୁ ମୋଟ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ।

ଏହା ସହିତ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ା କିଶୋର ବିହାର ସ୍ଥିତ ତାଙ୍କ ପତ୍ନୀଙ୍କ ବାସଭବନରେ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇଥିଲା। ଶ୍ରୀ ନାୟକଙ୍କର ନବରଙ୍ଗପୁରର ମନ୍ତ୍ରୀଗୁଡ଼ା ସ୍ଥିତି ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। କିଶୋରଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ଗିରଫ କରିଛନ୍ତି।

ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ନାଥ ରାଜଗୁରୁ ଏନେଇ କହିଛନ୍ତି ଯେ, ତିନି ଦିନ ତଳେ ଆମ ପାଖକୁ ଖବର ଆସିଥିଲା ଯେ କୋଲନରା ବ୍ଳକ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋରଚନ୍ଦ୍ର ନାୟକ ହିତାଧିକାରୀମାନଙ୍କ ଠାରୁ ଟଙ୍କା ନେଉଛନ୍ତି। ଏହା ପରେ ଆମେ ଏକ ଟିମ୍ ଗଠନ କରି ଗତକାଲି ରାତିରେ ସେ ତାଙ୍କ ଭଡ଼ା ଘରକୁ ଫେରୁଥିବା ବେଳେ ବାଟରେ ଅଟକାଇ ଥିଲୁ। ତାଙ୍କ ଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ପାଇଥିଲୁ। ଏହା ପରେ ତାଙ୍କ ଘରେ ଚଢ଼ାଉ କରିଥିଲୁ। ସେଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା। ଏବେ ଘଟଣାର ତଦନ୍ତ ଚାଲିଛି।

ସେ ଆହୁରି କହିଛନ୍ତି ଯେ, ଆଜିକାଲି ଚାଷୀ ବା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଚାଲିଯାଉଛି। ତେଣୁ କିଶୋର ଚନ୍ଦ୍ର ନାୟକ ସେମାନଙ୍କୁ ବିଭିନ୍ନ କଥା କହି ଟଙ୍କା ଆଦାୟ କରୁଥିଲେ। ଆଉ ସେହି ଟଙ୍କାକୁ ନିଜ ଭଡ଼ା ଘରେ ଜମା କରି ରଖୁଥିଲେ।