ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ): ଗତ ୧୨ ତାରିଖ ପରଠାରୁ ସମ୍ବଲପୁରରେ ଦେଖାଦେଇଥିବା ଅଶାନ୍ତ ସ୍ଥିତିକୁ ନେଇ ଆଜି ଝାରସୁଗୁଡାରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପିର ରାଜ୍ୟସ୍ତରୀୟ ଟିମ। ସରକାର ଓ ପ୍ରଶାସନର ଦାୟିତ୍ବହୀନତା, ଅପାରଗତା ପାଇଁ ଏଭଳି ଘଟଣା ଘଟିଥିବା ବେଳେ ଭୋଟ ବ୍ୟାଙ୍କ ପାଇଁ ଦେଶଦ୍ରୋହୀଙ୍କୁ ସୁରକ୍ଷା ଦିଆଯାଉଥିବା ବିଜେପି ଅଭିଯୋଗ କରିଛି।
ଦଙ୍ଗା ବେଳେ ଜଣେ ଆଦିବାସୀ ଯୁବକର ହତ୍ୟା ହେଲା, ତରବରିଆ ଭାବେ ତାଙ୍କ ପରିବାରର ଅଧିକାର କ୍ଷୁର୍ଣ୍ଣ କରି ଶବ ଦାହ କରିଦିଆଗଲା। ମୁଖ୍ୟମନ୍ତ୍ରୀ ଜାପାନ, ଦୁବାଇ ଯାଇପାରୁଛନ୍ତି କିନ୍ତୁ ଏଭଳି ସମ୍ବେଦନଶୀଳ ଘଟଣାରେ ଥରୁଟିଏ ସମ୍ବଲପୁର ଆସିବା ଜରୁରି ଭାବିଲେନି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ଜୁଏଲ ଓରାମ, ସମୀର ମହାନ୍ତି ଉପସ୍ଥିତ ଥିଲେ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପ୍ରଥମ ଥାରପାଇଁ ହେଉନି। କେଉଁ କାଳରୁ ଏହି ରୁଟରେ ଶୋଭାଯାତ୍ରା ଆସୁଛି। ଉଭୟ କମିଟି ଓ ପ୍ରଶାସନ ପାଖରେ ଏହାର ଅଭିଜ୍ଞତା ରହିଛି। ମାତ୍ର ପ୍ରଶାସନର ଗୁଇନ୍ଦା ଫେଲ ମାରିଲା, ଦେଶଦ୍ରୋହୀ ପଥର ନେଇ ଛାତରେ ରଖିଲେl ଯଦି ପ୍ରଶାସନ ପାଖରେ ପୁଲିସ ନଥିଲା ତେବେ ଭଦ୍ରକ ଭଳି ସ୍ୱୀକାର କରିଥାନ୍ତେ, କେନ୍ଦ୍ର ସୁରକ୍ଷା ବଳ ଯୋଗାଇ ଦେଇଥାନ୍ତା ବୋଲି ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଯିଏ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଲୋକଙ୍କୁ କଣ ସୁରକ୍ଷା ଦେବେ । ଏପ୍ରିଲ ୧୪ ବେଳକୁ ସରକାର ଯେଉଁ ତତ୍ପରତା ଦେଖାଇଲେ ୧୨ ତାରିଖରେ ଯଦି ଶୋଭାଯାତ୍ରା ବେଳେ ସମାନ ତତ୍ପରତା ଦେଖାଇଥାନ୍ତେ ତାହେଲେ ହିଂସା ହୋଇନଥାନ୍ତା ବୋଲି ମନମୋହନ କହିଛନ୍ତି ।
ସେହିପରି କାର୍ଯ୍ୟକର୍ତ୍ତାଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି ତାଙ୍କ ବିରୋଧରେ ପୋଲିସର ଆଭିମୁଖ୍ୟକୁ ନେଇ ରାଜ୍ୟ ବିଜେପି ସଭାପତି ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ତୁଷ୍ଟୀକରଣ ରାଜନୀତି ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଯେଉଁ ସରକାର ରତ୍ନ ଭଣ୍ଡାର ଚାବି ହଜେଇ ପାରୁଛନ୍ତି, ଫାଇଲ ହଜେଇ ପାରୁଛନ୍ତି, ସେ ସରକାରଠାରୁ ଅଧିକ କଣ ଆଶା କରାଯାଇପାରେ ବୋଲି ଶ୍ରୀ ସାମଲ କହିଛନ୍ତି। ଯଦି ସରକାରଙ୍କ ସତ ସାହସ ଅଛି ତେବେ ଏହି ଦଙ୍ଗାର ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ, ଫାଷ୍ଟଟ୍ରାକ କୋର୍ଟରେ ବିଚାର ହେଉ, ୨୪ ଘଣ୍ଟା ମଧ୍ୟରେ ଦେଶଦ୍ରୋହୀଙ୍କ ଜବର ଦଖଲ ଘର ଉଚ୍ଛେଦ ହେଉ, ସମ୍ବଲପୁରରୁ କର୍ଫ୍ୟୁ ଉଚ୍ଛେଦ କରାଯାଉ ଓ ନେଟୱର୍କ ରିଷ୍ଟରେସନ କରାଯାଉ ବୋଲି ବିଜେପି ଦାବି କରିଛି।
ସେପଟେ ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତି ପଶ୍ଚିମବଙ୍ଗ ଓ ବିହାର ଦିଗରେ ଗତି କରୁଥିବା ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଶ୍ରୀପୁରା ଛକରେ ବିଜେପି ଟିମକୁ ପୁଲିସ ଅଟକାଇବା ଘଟଣାକୁ ନେଇ ମଧ୍ୟ ସେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ବିନା କର୍ଫ୍ୟୁରେ ବିନା ନୋଟିସରେ ପ୍ରଶାସନ ଜଣେ କେନ୍ଦ୍ରମନ୍ତ୍ରୀ, ୨ ସାଂସଦଙ୍କ ସମେତ ୫ ନେତାଙ୍କୁ ୭ ଘଣ୍ଟା ଧରି କିଭଳି ଅଟକ ରଖିଲା ବୋଲି ସେ ପ୍ରଶ୍ନ କରିଛନ୍ତି।ଏନେଇ ନୀତିଗତ ନିଷ୍ପତି ହୋଇଛି, ଖୁବ ଶୀଘ୍ର ଗୃହ ରାଷ୍ଟ୍ରମନ୍ତୀଙ୍କୁ ଅବଗତ କରାଯିବ ଓ ସଂସଦରେ ସ୍ବାଧୀକାର ଭଙ୍ଗ ନୋଟିସ ଆସିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରି, ସମ୍ବଲପୁରରେ ନାଲି ଆଖି ଦେଖେଇ କେବେ ଶାନ୍ତି ଫେରିନି କି ଫେରିବନି ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି।





