ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ରାଜ୍ୟ ପ୍ରଶାସନ ଶ୍ରୀମନ୍ଦିରର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି। ଶ୍ରୀମନ୍ଦିର ଫାଇଲ ହଜିବା ନେଇ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।
ବିଜୟ ମହାପାତ୍ର କହିଛନ୍ତି, ଫାଇଲ ହଜିନି, ମୋର ବିଶ୍ବାସ ତାକୁ ସେମାନେ ଲୁଚେଇ ଦେଇଛନ୍ତି। ଜଗନ୍ନାଥ ମନ୍ଦିର ସମ୍ପର୍କରେ ଫାଇଲରେ ଏମିତି କିଛି ଅଛି, ଯାହାକୁ ଲୋକଲୋଚନକୁ ଆଣିବାକୁ ଚାହୁଁନାହାନ୍ତି। ତଥ୍ୟ ପ୍ରଘଟ ଆଶଙ୍କାରେ ହଜିଯିବା ବାହାନାର ଆଶ୍ରା ନେଇଛନ୍ତି। ଯଦି ଜଗନ୍ନାଥ ମନ୍ଦିରର ଫାଇଲ ହଜିଯିବ, ତାହେଲେ ଓଡ଼ିଶାରେ ଶାସନରେ ରହିବା ଉଚିତ ନୁହେଁ। ଜଗନ୍ନାଥ ମନ୍ଦିର ସହ ଯେତେପ୍ରକାର ଅବହେଳା କରାଯିବା କଥା, କରାଯାଉଛି। ରାଜ୍ୟ ସରକାର ମନ୍ଦିର ପ୍ରତି ବିପଦ ଆଣିବାକୁ ନିମନ୍ତ୍ରଣ କରୁଛନ୍ତି ବୋଲି ସେ କହିଛନ୍ତି।
ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିଯୁକ୍ତିକୁ ନେଇ ବଡ ପ୍ରଶ୍ନ ଉଠାଇଛନ୍ତି ବିଜୟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କରିଲେ ନାହିଁ। ବର୍ତ୍ତମାନ ଯିଏ ମୁଖ୍ୟ ପ୍ରଶାସକ ଅଛନ୍ତି ନିଯୁକ୍ତି ପାଇବା ଦିନଠାରୁ ଦୁଇ ତିନିଥର ସେଠାକୁ ଯାଇଛନ୍ତି। ଯେଉଁ ମନ୍ଦିରର ପ୍ରଶାସକ ନଥିବେ ସେଠାରେ ପ୍ରଶାସନିକ ବ୍ୟବସ୍ଥା ନୀତି ବ୍ୟବସ୍ଥା କିଭଳି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେପଟେ ଏହି ମାମଲାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା। ମନ୍ତ୍ରୀ କହିଛନ୍ତି ଯେ, ବିଭାଗ ତର୍ଜମା କରୁଛି ଓ ଖୁବ୍ ଶୀଘ୍ର ଫାଇଲ ବାହାର କରିବାର ବ୍ୟବସ୍ଥା କରୁଥିବା ସେ କହିଛନ୍ତି।





