ଗୁଡ୍ଡୁ ମୁସଲିମ୍ ମାମଲାରେ ବରଗଡ଼ ଆସିଥିଲା ୟୁପି ଏସଟିଏଫ୍ ଟିମ୍, ସ୍ପଷ୍ଟ କଲେ ଡିଜିପି

ଭୁବନେଶ୍ୱର,୨୧/୪(ସତ୍ୟପାଠ ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ସହଯୋଗୀ କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍ ମାମଲାରେ ବରଗଡ଼ ଆସିଥିଲା ୟୁପି ଏସଟିଏଫ୍ ଟିମ୍। ଏନେଇ ବରଗଡ଼ ଏସପିଙ୍କ ସହ ଆଇଜି ଓ ଡିଜିପି ସୂଚନା ଦେଇଛନ୍ତି । ଗୁଡ୍ଡୁ ମୁସଲିମ ଘଟଣା ନେଇ ପୋଲିସ ଡିଜିଙ୍କ ଜରୁରୀ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି ସୁନୀଲ ବଂଶଲ ।

ଡିଜିପି କହିଛନ୍ତି, ୨ ଦିନ ତଳେ ୟୁପି ଏସଟିଏଫ୍ ଟିମ୍ ଓଡ଼ିଶା ଆସିଥିଲା ।ବରଗଡ଼ରେ ଦିନ ଟିଏ ରହି ପଚରାଉଚରା କରିଥିଲେ । ପ୍ରୋଟୋକଲ ଅନୁସାରେ ଆମେ ସେମାନଙ୍କୁ ସହାୟତା ଦେଇଥିଲୁ । ସେମାନେ କଣ ତଦନ୍ତ କଲେ, ଆମକୁ ଜଣାଇ ନାହାନ୍ତି ବୋଲି ଡିଜିପି କହିଛନ୍ତି ।

ଘଟଣାରେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର କହିଛନ୍ତି, ଭେରିଫିକେସନ୍ ପାଇଁ ୟୁପି ଏସଟିଏଫ୍ ଟିମ୍ ବରଗଡ଼ ଆସିଥିଲା । ଭେରିଫିକେସନ୍ ସମୟରେ ଜଣଙ୍କୁ ଜେରା କରିଛନ୍ତି । ଆଇନ୍ ଅନୁସାରେ ଭେରିଫିକେସନ୍ ପାଇଁ ସହାୟତା ଦେଇଛୁ । ତେବେ ଟିମ୍ କାହାରିକୁ ଗିରଫ କରି ନାହିଁ ବୋଲି ଆଇଜି କହିଛନ୍ତି ।

ତେବେ ଗତକାଲି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅତିକ୍‌ର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ୍ ପୁରୀରେ ଲୁଚିଥିଲା। ୟୁପିର ଏହି ଦୁର୍ଦ୍ଦାନ୍ତ ଅପରାଧୀର ଶେଷ ଲୋକେସନ ପୁରୀ ରହିଥିବା କୁହାଯାଉଥିଲା।

ୟୁପି ଏସଟିଏଫ୍ ଗୁଡ୍ଡୁର ଶେଷ ଲୋକେସନ ପୁରୀରୁ ପାଇଥିଲା। ଅତିକର ପୁଅ ଅସଦକୁ ଏନକାଉଣ୍ଟର ପରେ ଗୁଡ୍ଡୁ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା। ଗୁଡ୍ଡୁକୁ ଖୋଜିବାକୁ ଯାଇ ତାର ଶେଷ ଲୋକେସନ ପାଇଥିଲା ଏସଟିଏଫ୍। ହେଲେ ଏସଟିଏଫ୍ ଟିମ୍ ପୁରୀ ପହଞ୍ଚିଲା ବେଳକୁ ଗୁଡ୍ଡୁ ଖସିଯାଇଥିଲା। ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ମୁଖ୍ୟ ସହଯୋଗୀ ଥିଲା ଗୁଡ୍ଡୁ ମୁସଲିମ ବୋମା ଭିଡ଼ିବା ଏବଂ ବିସ୍ଫୋରଣ ଘଟାଇବାରେ ମାହିର ଥିଲା ଗୁଡ୍ଡୁ।

Related Posts