ଭୁବନେଶ୍ୱର,୨୭/୪(ସତ୍ୟପାଠ ବ୍ୟୁରୋ): ଦଙ୍ଗା ଉସକାଇବା ତଥା ଜନ ସମାବେଶରେ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗ ଆଣି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛି କଂଗ୍ରେସ। ନିକଟରେ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିବା ସମୟରେ ଏକ ରାଲିରେ ଅମିତ ଶାହ ଦେଇଥିବା ବିବାଦୀୟ ବୟାନକୁ ନେଇ ବେଙ୍ଗାଲୁରୁ ହାଇ ଗ୍ରାଉଣ୍ଡ ପୁଲିସ୍ ଷ୍ଟେସନରେ ଲିଖିତ ଅଭିଯୋଗ କରିଛି କଂଗ୍ରେସ ଦଳ।
ଗତ ମଙ୍ଗଳବାର କର୍ଣ୍ଣାଟକର ବେଲଗାବିରେ ଏକ ଜନସଭାକୁ ସମ୍ବୋଧନ କରି ଅମିତ ଶାହ କହିଥିଲେ, ଯଦି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବ ତେବେ ରାଜ୍ୟର ବିକାଶ ‘ରିଭର୍ସ ଗିୟର’କୁ ଚାଲିଯିବ। ଏଥିସହ ବଂଶବାଦ ରାଜନୀତି ଶୀର୍ଷରେ ପହଞ୍ଚିବ ଓ କର୍ଣ୍ଣାଟକ ଦଙ୍ଗାରେ ପ୍ରପୀଡ଼ିତ ହେବ । ଏହାକୁ ତୀବ୍ର ବିରୋଧ କରି କଂଗ୍ରେସ ପୋଲିସର ଦ୍ଵାରସ୍ଥ ହେବାସହ ହେବା ସହ ନିର୍ବାଚନ କମିଶନରଙ୍କ ନିକଟରେ ମଧ୍ୟ ଅ଼ଭିଯୋଗ କରିଛି।
କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି, ଯଦି ଜଣେ ସାଧାରଣ ଲୋକ ଏପରି ବୟାନ ଦେଇଥାନ୍ତା, ତେବେ ସେ ନିହାତି ଭାବେ ଗିରଫ ହୋଇ ଏବେ ଜେଲ୍ ହାଜତରେ ରହିଥାନ୍ତା। ହେଲେ ଦେଶର ଗୃହ ମନ୍ତ୍ରୀଙ୍କ ଏପରି ବିବାଦୀୟ ଭାଷଣ ଉତ୍ତେଜନା ବଢ଼ାଇବା ସହ ଦଙ୍ଗା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ । ତେଣୁ ତାଙ୍କ ବିରୋଧରେ ନିୟମ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା।ଏଥିସହ ସେ କହିଛନ୍ତି, ଜଣେ ଗୃହ ମନ୍ତ୍ରୀ ଏପରି ଉତ୍ତେଜନାମୂଳକ ଭାଷଣ ଦେବା ଉଚିତ ନୁହେଁ। ସେ ଭୁଲିବା ଉଚିତ ନୁହେଁ ଯେ, ସେ ବିଜେପିର ଷ୍ଟାର ପ୍ରଚାରକ ନୁହନ୍ତି ବରଂ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ, ।





