ଏମିତି କ’ଣ କେହି ଯାଏ ଦେବେନ୍ଦ୍ର ବାବୁ!

Debendra Samantaray

ଗୌତମବୁଦ୍ଧ ଦାସ(ବରିଷ୍ଠ ସାମ୍ବାଦିକ): ଗୁରୁବାର ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ହେବ । ଆପଣଙ୍କୁ ଫୋନ କଲି । ଫୋନ ରିଂ ହେଲା, କିନ୍ତୁ କେହି ଉଠାଇଲେନି । ମନଟା ଛଟପଟ ହେଲା । ହ୍ୱାଟ୍ସଅପରେ ସଙ୍ଗେ ସଙ୍ଗେ ମେସେଜ କଲି- “କେତେଥର ଫୋନ କଲିଣି, ଉଠାଉ ନାହାଁନ୍ତି । ଖାଲି ଦେହ କେମିତି ଅଛି ଜାଣିବାକୁ ଚାହୁଛି”ା ସଙ୍ଗେ ସଙ୍ଗେ ଆପଣ ନିଜେ ଅକ୍ସିଜେନ ଲାଗିଥିବା ଗୋଟିଏ ଫଟୋ ପଠାଇଲେ । ତଳେ ଲେଖିଥିଲେ- ଉବଦ୍ଭ’ଗ୍ଧ ଗ୍ଧବକ୍ଷଳ.
“ଠିକ ଅଛି, ଏବେ ଫୋନ ଉଠାଇବା ଦରକାର ନାହିଁ । ଖାଲି ଏତିକି କୁହନ୍ତୁ, ଦେହ ଭଲ ଅଛି ତ? ଆମେ ସମସ୍ତେ ଜାଣିବାକୁ ବ୍ୟଗ୍ର । ଆଉ କେତେଦିନ ରହିବାକୁ ହେବ ହସ୍ପିଟାଲରେ ?
ପୁଣିଥରେ ସଂକ୍ଷିପ୍ତ ଉତ୍ତର ଆସିଲା-ଆଉ ୫/୬ ଦିନ ଲାଗିବ ବୋଧହୁଏ ।
ଆପଣଙ୍କ ଆତ୍ମବିଶ୍ୱାସ ଦେଖି ଭଲ ଲାଗିଲା । ଆପଣଙ୍କୁ ଭରସା ଦେଲି । ଆପଣଙ୍କ ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲି । ଆପଣଙ୍କୁ ହାତଯୋଡା ଇମୋଜି ପଠାଇ ନମସ୍କାର କଲି । ଉତ୍ତରେରେ ଆପଣ ତିନିଥର ହାତଯୋଡା ଇମୋଜି ପଠାଇଲେ ।

କିଏ ଜାଣିଥିଲା ଏଇଟି ଆପଣଙ୍କର ଶେଷ ନମସ୍କାର ବୋଲି ?
ଆପଣଙ୍କ ମୋ ଭିତରେ କଥୋପକଥନକୁ ସମ୍ବାଦ ଗ୍ରୁପରେ ସେୟାର କଲି । ସାରା ଓଡିଶାରୁ ‘ସମ୍ବାଦ’ ପରିବାରର ଶତାଧିକ ସମ୍ବାଦିକ ଆପଣଙ୍କ ସୁସ୍ଥତା କାମନା କରି ପ୍ରାର୍ଥନା କଲେ ।
କିନ୍ତୁ ଭଗବାନ ଆମ ପ୍ରାର୍ଥନା ଶୁଣିଲେଣି । ଗୁରୁବାର ସନ୍ଧ୍ୟା ବେଳକୁ ଖବର ଆସିଲା ଆପଣଙ୍କ ଦେହ ଅଧିକ ଖରାପ ହେବାରୁ ଭେଣ୍ଟିଲେଟରକୁ ନିଆଗଲା । ମନଟା ବ୍ୟସ୍ତ ଲାଗିଲା । ତଥାପି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ଯେ ଆପଣ ଆଉ ଫେରିବେନି ବୋଲି ।
୨୪ ଘଣ୍ଟା ପରେ ଆଜି ସନ୍ଧ୍ୟାରେ ସେହି ଦାରୁଣ ଦୁଃସମ୍ବାଦ ଆସିଲା ।
ଓଃ…ଶେଷରେ ସାଙ୍ଗରେ ମିଶି ପ୍ରତିଦିନ ଖବର ଲେଖୁଥିବା ଆପଣଙ୍କ ଭଳି ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ପାଇଁ ଆମକୁ ଲୁହ ଓ କୋହରେ ଖବର ଲେଖିବାକୁ ପଡିଲା । ଆପଣଙ୍କ ଫଟୋଟି ଖବରରେ ସ୍ଥାନିତ କଲାବେଳେ ଆପଣଙ୍କ ସେଇ ହସହସ ମୁହଁଟି ଆଖି ଆଗରେ ନାଚି ଯାଉଛି । ଏବେବି ବିଶ୍ୱାସ କରି ହେଉନି ଆପଣ ନାହାନ୍ତି ବୋଲି ।

ବୋଧହୁଏ ଡିସେମ୍ବର କି ଜାନୁଆରୀ ମାସରେ ଆପଣ ଶେଷଥର ପାଇଁ ଆସିଥିଲେ ଭୁବନେଶ୍ୱର ଅଫିସକୁ । ଅଫସିର ତୈମାସିକ ସମୀକ୍ଷା ବୈଠକ ଥିଲା । ଆପଣ ଟିକେ ଡେରିରେ ଆସିଲେ । ମୁଁ ପଚାରିଲି ଜଳଖିଆ ଖାଇଛନ୍ତି ? ଆପଣ ମନା କଲେ । ମୁଁ ବି ଖାଇ ନଥିଲି । ତେଣୁ କ୍ୟାଣ୍ଟିନରୁ ଉପମା ମଗେଇଲୁ । ସେପଟେ ମିଟିଂ ଆରମ୍ଭ ହୋଇ ସାରିଥାଏ । ତଥାପି ଦୁଇ ବନ୍ଧୁ ଗୋଟିଏ ପ୍ଲେଟରୁ ଦୁଇଟି ଚାମଚ ଲଗାଇ ତରତର ହୋଇ ଖାଇଲୁ । ସେଇ ଆପଣଙ୍କ ସହ ଶେଷ ଖିଆ, ଶେଷ ଦେଖା ।
ମୁଁ ରାଜ୍ୟ ଖବର ସଂଯୋଜନା ଦାୟିତ୍ୱରେ ଥିବାବେଳେ ସମ୍ବଲପୁର ସଂସ୍କରଣ ମୁଖ୍ୟ ଭାବେ ପ୍ରାୟ ପ୍ରତିଦିନ ଆପଣଙ୍କ ସହ କଥା ହେବାକୁ ପଡୁଥିଲା । ପ୍ରଥମ ପୃଷ୍ଠାରେ ଏବଂ ରାଜ୍ୟ ପୃଷ୍ଠାରେ କେମିତି ପଶ୍ଚିମ ଓଡିଶାର ଖବର ଅଧିକ ବସିବ, ସେ ନେଇ ଆପଣ ଜିଦ୍ କରୁଥିଲେ । ବେଳେବେଳେ ଜାଗା ନାହିଁ ବୋଲି ଯେତେ ବୁଢାଇଲେ ବି ଆପଣ ବୁଝୁ ନଥିଲେ । ରହେମାନ ସାର ବିରକ୍ତ ହୋଇ କହୁଥିଲେ, ଦେବେନ୍ଦ୍ର ବାବୁଙ୍କୁ ମୁଁ ବୁଝାଇ ପାରିବିନି । ଆପଣ ବୁଝାନ୍ତୁ । ଆପଣ କିନ୍ତୁ କେବେ ରାଗୁ ନଥିଲେ । କାହା ମନରେ କଷ୍ଟହେଲା ଭଳି ପଦଟିଏ ବି କହୁ ନଥିଲେ । ଆପଣଙ୍କ ସହ ପ୍ରାୟ ୨୦ ବର୍ଷ କାମ କରିବା ଭିତରେ କେବେବି ଆପଣ ରାଗିବାର ଆମେ ଦେଖିନୁ । ଯେତେ କଠିନ ପରିସ୍ଥିତିର ସାମ୍ନା କଲେ ବି ଆପଣ କେବେ ଭାଙ୍ଗି ପଡୁ ନ ଥିଲେ । ହସି ହସି ନିଜର ଦୁଃଖ ଓ ଅସୁବିଧା କଥା ଆମକୁ କହୁଥିଲେ । ଆପଣ ଏମିତି କିପରି ଶାନ୍ତ ଓ ସ୍ଥିତପ୍ରଜ୍ଞ ରହି ପାରୁଛନ୍ତି ଦେଖି ଆମେ ଆଶ୍ଚର୍ଯ୍ୟ ହେଉଥିଲୁ ।
କରୋନା ହେବା ପରେ ବି ଆପଣ କେବେ ବ୍ୟସ୍ତ ହୋଇ ଆମକୁ କହି ନାହାଁନ୍ତି । ଖାଲି ହସ୍ପିଟାଲରେ ଭଲ ଯତ୍ନ ନିଆଯାଉନି, ଡାକ୍ତର/ନର୍ସ ଏତେଟା ଗୁରୁତ୍ୱ ଦେଉ ନାହାଁନ୍ତି ବୋଲି ଆପଣ ଥରେ କ୍ଷୋଭ ପ୍ରକାଶ କରିଥିଲେ । ଏହା ସତ୍ତ୍ୱେ ଆପଣ ଭଲ ହସ୍ପିଟାଲର ଆଇସିୟୁରେ ଥିବାରୁ ଆପଣ ଭଲ କିନ୍ତୁ ଏ କ’ଣ ହେଲା?
ଆପଣ ହଠାତ ସବୁ ବନ୍ଧନ କାଟି ଦେଇ ଅଫେରା ରାଇଜକୁ ଚାଲିଗଲେ?
ଏମିତି କ’ଣ କେହି ଯାଏ ଦେବେନ୍ଦ୍ର ବାବୁ!!!
କରୋନା ସିନା ଆପଣଙ୍କୁ ଆମଠାରୁ ଛଡାଇନେଲା । କିନ୍ତୁ ଆପଣଙ୍କ ଭଳି ଜଣେ ସତୀର୍ଥଙ୍କୁ ଆମେ କେବେ ଭୁଲି ପାରିବୁନି । ଆପଣଙ୍କ ସ୍ମୃତି ଚିର ଅମ୍ଳାନ ରହିବ । ଆପଣ ସବୁଦିନ ପାଇଁ ହୃଦୟ ଭିତରେ ଜୀବନ୍ତ ରହିବେ ।
ହେ ବନ୍ଧୁ! ଅଶ୍ରୁଳ ବିଦାୟ । ଗଭୀର ଶ୍ରଦ୍ଧାଞ୍ଜଳି ।

Related Posts